ତୁଷୁରା, (କେପିଏନ୍ଏସ୍) : ଗତ ଜାନୁୟାରୀ ୧୪ ତାରିଖ ଅପରାହ୍ନରୁ ପେନ୍ଦିମୁଣ୍ଡା ଘାଟ ତେଲନଦୀଠାରେ ପ୍ରଦର୍ଶିତ ହେଉଥିବା ବାଲୁକା ଶିଳ୍ପୀ ଓମ୍ ପ୍ରକାଶ ସାହୁଙ୍କ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା ଭାସ୍କର୍ଯ୍ୟ କଳାର ଉଦ୍ଯାପନୀ ସମାରୋହ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତ ମାତାର ଦୁଇ ଜଣ ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପୁଣ୍ୟ ଜନ୍ମତିଥି ପାଳିତ ହୋଇଥିଲା । ପୂର୍ବାହ୍ନ ୧୦ଟାରୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, ଚିତ୍ରାଙ୍କନ, ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୪ଟାରେ ସମ୍ବାଦିକ କମ୍ବୁପାଣି ସାହୁଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ତୁଷୁରାର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଦୀନଦୟାଲ କେଡିଆ ଯୋଗ ଦେଇ ଆଗାମୀ ବର୍ଷ ବିଶ୍ଵର ସର୍ବଶ୍ରେଷ୍ଠ ବାଲୁକା ଭାସ୍କର୍ଯ୍ୟ କଳା ନିର୍ମାଣ କଲେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଭାବେ ଜଗନ୍ନାଥ ଡିଗ୍ରୀ କଲେଜ ରିଷିଡାର ଅଧ୍ୟକ୍ଷ ଗଦାଧର ପ୍ରଧାନ ଯୋଗ ଦେଇ ଶ୍ରୀ ସାହୁଙ୍କ ବାଲୁକା ଭାସ୍କର୍ଯ୍ୟ କଳାର ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବଂଶିତା ଜ୍ୱେଏଲର୍ସର ମାଲିକ ପ୍ରଦୀପ ସାହୁ, ଆଶୁକବି ହେମନ୍ତ ଦାଶ, ସ୍ଥାନୀୟ ସରପଞ୍ଚ ଗୁରୁଦା ନନ୍ଦ, ସମାଜସେବୀ ବୁଦ୍ଧଦେବ ନାଗ, ଗୋପିକୃଷ୍ଣ ପାଣ୍ଡିଆ ପ୍ରମୁଖ ଯୋଗ ଦେଇଥିଲେ । ଋଷିକେଶ ବୁଡେକ ସଭା ସଞ୍ଚାଳନ କରିଥିବା ବେଳେ ଆଦିମୂଳ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଦଶରଥ ରଣା, ପିତବାସ ରଣା, ଚିତ୍ତରଞ୍ଜନ ମିଶ୍ର, ବିଶୁ ରଣା ତଥା ପେନ୍ଦିମୁଣ୍ଡା ଗ୍ରାମବାସୀ ସହଯୋଗ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ମୋମେଣ୍ଟୋ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସମସ୍ତ ଅତିଥିଙ୍କୁ ବାଲୁକା ଶିଳ୍ପୀ ଶ୍ରୀ ସାହୁ ସ୍ମୃତି ଚିହ୍ନ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।
Prev Post