jayashree

ଟିଟିଲାଗଡ଼ରେ ସ୍ମାର୍ଟ ମିଟର ନ ଲଗାଇବା ପାଇଁ ଟିପିଡବ୍ଲୁଓଡିଏଲ୍‌ ଅଧିକାରୀଙ୍କ ସହ ବଣିକ ସଂଘ ସଦସ୍ୟଙ୍କ ଆଲୋଚନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଦ୍ୟୁତ ବିଭାଗ (ଟିପିଡବ୍ଲୁଓଡିଏଲ୍‌) ତରଫରୁ ଟିଟିଲାଗଡ଼ ସହରରେ ଲାଗିଥିବା ପୁରୁଣା ମିଟର ଜାଗାରେ ସ୍ମାର୍ଟ ମିଟର ଲଗେଇବା ପାଇଁ ଯୋଜନା କରୁଥିବା ବେଳେ ଏହା ଜାଣିବା ପରେ ସହରବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ ହେବା ସହ ବ୍ୟାପାରୀମାନେ ମଧ୍ୟ ଏହାକୁ ଲାଗୁ ନ କରାଯାଉ ବୋଲି ମତପ୍ରକାଶ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ବଣିକ ସଂଘର ସଦସ୍ୟମାନେ ସଭାପତି ଶମ୍ଭୁପ୍ରସାଦ ଗୋୟଲଙ୍କୁ ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବାକୁ କହିବା ପରେ ଶମ୍ଭୁ ପ୍ରସାଦ ଗୋୟଲ ଟିପିଡବ୍ଲୁଓଡିଏଲ୍‌ ଅଧିକାରୀ ବିନାୟକ ରାଉତଙ୍କ ସହ ଯୋଗାଯୋଗ କରିବା ପରେ ଆଲୋଚନା କରିବା ପାଇଁ ସମୟ ମାଗିଥିଲେ । ଶନିବାର ଦିନ ସକାଳ ୧୧ଟା ସମୟରେ ବିଦ୍ୟୁତ ବିଭାଗର ସମ୍ମିଳନୀ କକ୍ଷରେ ଟିଟିଲାଗଡ଼ ବଣିକ ସଂଘର ସଭାପତି ଶମ୍ଭୁପ୍ରସାଦ ଗୋୟଲ, କୋଷାଧକ୍ଷ ଅଙ୍କୁର ଅଗ୍ରୱାଲ, ସଦସ୍ୟ କେ. ତ୍ରିନାଥ ରାଓ, ବିଜୟ ମେହେର, ଦେବୀ ଶର୍ମା, ବସନ୍ତ ସାହୁ, ସଞ୍ଜୟ କୁମାର ନାୟକ ବିଦ୍ୟୁତ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ ଅନିଲ କୁମାର ଓଝାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ସେ ଭିତରେ ମୁଖ୍ୟ ମୁଦ୍ଦା ଥିଲା ବିଦ୍ୟୁତ ବିଭାଗ ପକ୍ଷରୁ ବେଧଡକ୍‌ ଲୋକଙ୍କ ଘରେ ପଶି ମନଇଚ୍ଛା ଜୋରିମାନା ଆଦାୟ କରିବା, ନହେଲେ ଲାଇନ କାଟି ଦେବା, ରକ୍ଷଣା ବେକ୍ଷଣ ନାଁରେ ବାରମ୍ବାର ବିଦ୍ୟୁତ କାଟ୍‌, ଖରା ଦିନେ ରାଜ୍ୟ ସରକାର ଘୋଷଣା କରନ୍ତି ଚଳିତ ବର୍ଷ ବିଦ୍ୟୁତ କାଟ୍‌ ହେବ ନାହିଁ କିନ୍ତୁ ଅପର ପକ୍ଷରେ ଖରା ଦିନେ ଅଘୋଷିତ ବିଦ୍ୟୁତ କାଟରେ ସହରବାସୀ ଗରମରେ ଛଟପଟ ହୁଅନ୍ତି । ବିଦ୍ୟୁତ ବିଭାଗର ଚଢ଼ାଉ କରୁଥିବା ଭିଜିଲାନ୍ସ ଟିମ୍‌ର ବ୍ୟବହାର ମଧ୍ୟ ଅତି ଖରାପ, କିଛି କିଛି ବ୍ୟକ୍ତି ମାସକୁ ଦରମା ୧୦ ହଜାର ପାଉଥିବା ବେଳେ ଜୋରିମାନା ଏକ ଲକ୍ଷ ଟଙ୍କା ପକାଯାଉଛି କିପରି ? ତାପରେ କେଉଁ କେଉଁ କେସ୍‌ରେ ଜୋରିମାନା ୫୦ପ୍ରତିଶତ ଛାଡ କାହାକୁ ୩୦ପ୍ରତିଶତ ଛାଡ ତ କାହାକୁ ବିନା ଛାଡରେ ବିଦ୍ୟୁତ କାଟ୍‌ ମଧ୍ୟ କରାଯାଉଛି । ଯାହାକି ଲୋକଙ୍କ ଅଶାନ୍ତିର ମୁଖ୍ୟ କାରଣ । ଯଦି ସାଧାରଣ ଲୋକ ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହେଲେ କେଉଁ ଆଧାରରେ ନୂତନ ସ୍ମାର୍ଟ ମିଟର ଲଗେଇବ ବିଭାଗ ଆଗ ଉତ୍ତର ଦିଅନ୍ତୁ ବୋଲି ସଭାପତି ଶ୍ରୀ ଗୋୟଲ ପ୍ରଶ୍ନ ଉଠାଇଥିଲେ । ଏହାର ଉତ୍ତର ଦେଇ ଶ୍ରୀ ବିନାୟକ ରାଉତ ସ୍ମାର୍ଟ୍ ମିଟର ଲାଗିଲେ ଚୋରୀ ହେବନି, ଯେତିକି ବ୍ୟବହାର କରିବେ ସେତିକି ବିଲ ଉଠିବ, ଯେହେତୁ ପୁରୁଣା ମିଟର ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜୁଛି ସେଥି ପାଇଁ ଆଧୁନୀକରଣ ଉପାୟରେ ଲୋକେ ସୁବିଧା ପାଇବେ ବୋଲି ସାରା ଦେଶରେ ଏହି ମିଟର ଲଗାଯାଉଛି ବୋଲି ବିଭାଗୀୟ ଅଧିକାରୀ କହିଥିଲେ । ଶେଷରେ ବଣିକ ସଂଘର ସଦସ୍ୟମାନେ ପ୍ରଥମେ ଲୋକଙ୍କୁ ଆଗ ସ୍ମାର୍ଟ ମିଟର ବିଷୟରେ ସଚେତନ କରାଇବା ସହ ଏହାର ସୁବିଧା କଣ ପାଇ ପାରିବେ ସେ ନେଇ ଲୋକଙ୍କୁ ବୁଝାଇବା ପରେ ଯାଇ ଏ ଦିଗରେ କାର୍ଯ୍ୟ କରନ୍ତୁ ବୋଲି ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.