ଡାକ୍ତର ସୁସ୍ମିତା ଦାଶଙ୍କ ଉଦ୍ୟମକୁ ପ୍ରଶଂସା

ବରଗଡ଼, (ନିରୋଜ କୁମାର ପାଣୀ) : ଉଭୟ ସ୍ବାମୀ ସ୍ତ୍ରୀ ଦେଖି ପାରନ୍ତି ନାହିଁ । ଏପରି ସମୟରେ ସ୍ତ୍ରୀ ଆଠ ମାସର ଗର୍ଭବତୀ, ଅସୁବିଧା କହିଲେ ନସରେ । ଏହି ଖବରଟି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଡଡ଼ଙ୍ଗାପାଲି ଗ୍ରାମର ଅଜିତ ଜାଲ ଏବଂ ତାଙ୍କ ସ୍ତ୍ରୀ ସୁଷମା ଚାନ୍ଦଙ୍କ ବିଷୟ । ଅନେକ ଖବରକାଗଜରେ ପ୍ରକାଶ ପାଇଥିଲା । ଏହି ଖବରଟି ଜାଣିବା ପରେ ଜଣେ ଦରଦୀ ମଣିଷର ହୃଦୟ ଆନ୍ଦୋଳିତ ହେବା ସ୍ବାଭାବିକ କଥା । ଏହା ହିଁ ହେଲା, ବରଗଡ଼ର ଜଣାଶୁଣା ସମାଜସେବୀ ତଥା ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞା ଡାକ୍ତର ସୁସ୍ମିତା ଦାଶଙ୍କ କ୍ଷେତ୍ରରେ । ସଙ୍ଗେ ସଙ୍ଗେ ତାଙ୍କର ଅନ୍ତର ଆତ୍ମାର ଆଦେଶ ଅନୁସାରେ ଡାକ୍ତର ଦାଶ ଡଡଙ୍ଗାପାଲି ଗ୍ରାମକୁ ପହଞ୍ଚି ଯାଇଥିଲେ । ସେଠାରେ ଗର୍ଭବତୀ ଥିବା ସୁଷମାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଅତ୍ୟାବଶ୍ୟକୀୟ ଔଷଧ, ପ୍ରୋଟିନ ପାଉଡ଼ର ଏବଂ କିଛି ଆର୍ଥିକ ସହଯୋଗ କରିଥିଲେ । ଏତିକିରେ ଡାକ୍ତର ଦାଶଙ୍କ କର୍ତ୍ତବ୍ୟ ସରି ନଥିଲା ଶିଶୁଟି କିପରି ସୁସ୍ଥ ଏବଂ ସୁରକ୍ଷିତ ଜନ୍ମ ହେବ ସେଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲେ । ଡାକ୍ତର ଦାଶଙ୍କ ସାଧୁ ଉଦ୍ୟମକୁ ଉପସ୍ଥିତ ଗ୍ରାମବାସୀ ତଥା ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.