ବଲାଙ୍ଗିର, (କେପିଏନ୍ଏସ୍) : ଆଗଲପୁର (ଡୁଡୁକା) ବ୍ଳକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁ ନିକଟରେ ରହିଛି ଚଣ୍ଡାଳ ଡ୍ୟାମ୍ ଵା ଏମ୍ଆଇପି ଜଳାଶୟ ପ୍ରକଳ୍ପ । ବଣ ପାହାଡ଼ ଘେରା ପ୍ରାକୃତିକ ପରିବେଶରେ ଭରପୁର ଏହି ମନୋରମ ସ୍ଥାନ ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସାଲେଭଟା କୁଟାସିଂହା ରାସ୍ତାର ଡୁଙ୍ଗୁରିପାଲି ବିମଲେଶ୍ୱର ଶିବ ମନ୍ଦିରଠାରୁ ୫୦୦ ମିଟର ଭିତରକୁ ଚାରି ଗୋଟି ପାହାଡକୁ ଘେରି ରହିଛି ଏହି ଜଳାଶୟ ଯାହାର କ୍ଷେତ୍ରଫଳ ୩୦ ଏକରରୁ ଅଧିକ ହେବ । ଏଠାକାର ଶାନ୍ତ ସୁନ୍ଦର ପରିବେଶରେ ପିକ୍ନିକ୍ କରିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଲୋକ ଆସି ଭିଡ଼ ଜମେଇଥାନ୍ତି । ଗୋଟିଏ ପଟେ କଣ୍ଟଦେଇ ମନ୍ଦିର ଥିବାବେଳେ ଆଉ ଗୋଟିଏ ପଟେ ବିମଲେଶ୍ୱର ଶିବ ମନ୍ଦିର, ବାରପାହାଡ଼ ମନ୍ଦିର, ଶକ୍ତି ପୀଠ ମାହେଶ୍ୱରୀ ମନ୍ଦିର ଶୋଭା ପାଉଛି । ପ୍ରାକୃତିକ ସୁନ୍ଦରତାରେ ଭରପୁର ଏହି ସ୍ଥାନ ଲୋକଲୋଚନକୁ ଆସି ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଡୁଙ୍ଗୁରିପାଲି ଗ୍ରାମବାସୀ, ସହରାଞ୍ଚଳକୁ ଯେତେ ପ୍ରାଧନ୍ୟ ଦିଆଯାଉଛି ଗ୍ରାମାଞ୍ଚଳକୁ ଦିଆଯାଉନାହିଁ ବୋଲି କହିଛନ୍ତି । ତେଣୁ କରି ବନ ବିଭାଗ ତଥା ପ୍ରଶାସନ ଏହି ଡ୍ୟାମ୍କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି ।
Prev Post