ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନରେ ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ପ୍ରଫୁଲ୍ଲ କୁଜୁର, ଏସ୍‌ଡିପିଓ ତୋଫାନ କୁମାର ବାଗ, ବିଡ଼ିଓ ଶରତ ସେଠିଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବିଭିନ୍ନ ବିଭାଗର ଅଧିକାରୀ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ମକର୍ତ୍ତା ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ତା ୨୬ .୦୧.୨୦୨୪ ରିଖ ସାଧାରଣତନ୍ତ୍ର ଦିବସ ଦିନ ପ୍ରାତଃ ୫ ଘଟିକା ସମୟରେ ରାମଧୁନ, ସକାଳ ୬ ରୁ ୭ ଘଟିକା ମଧ୍ୟରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତ ଫେରି, ସକାଳ ୭ ରୁ ୭.୩୦ ମଧ୍ୟରେ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ, ସକାଳ ୭.୧୫ ରୁ ୭.୪୫ ମଧ୍ୟରେ ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ସକାଳ ୮.୩୦ ସମୟରେ ମନୋହରପୁର ରିଜର୍ଭ ପୋଲିସ ପଡିଆରେ ଆନୁଷ୍ଠାନିକ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ଦିବସର ମୁଖ୍ୟ ଅତିଥି ସକାଳ ୮.୩୦ ସମୟରେ ଆନୁଷ୍ଠାନିକ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିବେ । ସମ୍ମିଳିତ ପ୍ୟାରେଡରେ ହୋମଗାର୍ଡ, ଏନ୍‌ସିସି, ସ୍କାଉଟ, ଗାଇଡ୍‌, ରେଡକ୍ରସ ଓ ସିଭିଲିଆନ ଦଳ ଅଂଶ ଗ୍ରହଣ କରିବେ । ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ସଂଗୀତ, ଚିତ୍ରାଙ୍କନ, ସ୍ଵାଧୀନତା ସଂଗ୍ରାମୀ ବେଶ, ଓଡିଆ, ଇଂରାଜୀ ପ୍ରବନ୍ଧ ଓ ବକ୍ତୃତା, ହିନ୍ଦୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏତଦବ୍ୟତୀତ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲାକୁ ଗର୍ବାନ୍ଵିତ କରିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ । ସାଧାରଣତନ୍ତ୍ର ଦିବସ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଭିନ୍ନ ବିଭାଗ ଦ୍ଵାରା ସଚେତନତା ମୂଳକ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବ । ପ୍ୟାରେଡ ଉତ୍ସବ ପରେ ଜିଲ୍ଲା କାରାଗାରର ଅନ୍ତେବାସୀ, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ ସହ ପୁଇଁତଲାସ୍ଥିତ କୁଷ୍ଠ କଲୋନୀ ଅନ୍ତେବାସୀଙ୍କୁ ବସ୍ତ୍ର ବଣ୍ଟନ କରାଯିବ । ବୈଠକ ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.