ପଶ୍ଚିମାଞ୍ଚଳ କୁବେର ମହାସଭାରେ ଯୋଗ ଦେଲେ ନରସିଂହ

  • ଆପଣଙ୍କ ଏକତା ଅଞ୍ଚଳର ସାମାଜିକ, ଅର୍ଥନୈତିକ ବିକାଶରେ ସହାୟକ ହେବ – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁବେର ସମାଜ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ସମାଜ ଅଟେ । ଆପଣମାନଙ୍କ ଏକତାକୁ ନେଇ ଆପଣମାନେ ଅତୀତ ଦିନମାନଙ୍କରେ ଅନେକ କିଛି ପ୍ରମାଣିତ କରିସାରିଛନ୍ତି କିନ୍ତୁ ବର୍ତ୍ତମାନର ସମୟ ଅଲଗା । ଆଜି କେବଳ ନିଜ ସମାଜର ଚିନ୍ତା କଲେ ଅଞ୍ଚଳର ପୂର୍ଣ୍ଣାଙ୍ଗ ବିକାଶ ହୋଇପାରେ ନାହିଁ । ଆପଣମାନେ ନିଜ ଭିତରେ ଏକତାବଦ୍ଧ ହୁଅନ୍ତୁ । ନିଶ୍ଚିତ ଭାବେ ଆପଣଙ୍କ ସମାଜର ବିକାଶ ଦିଗରେ ସହାୟକ ହେବ । କିନ୍ତୁ ତା ସହିତ ଏକତାବଦ୍ଧ ଭାବରେ ଯଦି ଆପଣମାନେ ଏକତ୍ରିତ ହୋଇ ସମାଜରେ ଥିବା ସମସ୍ତ ଲୋକଙ୍କ ପାଇଁ କାମ କରିବେ ତେବେ ନିଶ୍ଚିତ ଭାବରେ ଆପଣମାନଙ୍କ ଏକତା ଏ ଅଂଚଳର ସାମଗ୍ରିକ ଭାବେ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ବଲାଙ୍ଗିରରେ ଅନୁଷ୍ଠିତ କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡର ବିଂଶତମ ମହାସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । କୁବେର ଯୁବସମାଜର ସମ୍ପାଦକ ଲଳିତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ବିଧାୟକ ଶ୍ରୀମିଶ୍ରଙ୍କୁ ତାଙ୍କ ଜନ୍ମଦିନ ଅବସରରେ କୁବେର ସମାଜ ତରଫରୁ ଉପଢୌକନ ଓ ମାନପତ୍ର ଦେଇ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ ଛତିଶଗଡରେ ଆପଣମାନଙ୍କର ଏକତା ସେଠାକାର ସରକାରମାନଙ୍କୁ ବଦଳାଇ ଦେବା କ୍ଷମତା ରଖେ । ତେଣୁ ଆପଣଙ୍କ ରାଜନୈତିକ, ସାମାଜିକ ଓ ସଂସ୍କୃତି ସଚେତନତା ନିଶ୍ଚିତ ଭାବରେ ବହୁ ଗୁରୁତ୍ୱ ରଖେ । ଆପଣମାନେ ନିଶ୍ଚିତ ଜାଣି ରଖିବା ଦରକାର ଯେ ପଶ୍ଚିମ ଓଡିଶା ଗଡଜାତ ଅଂଚଳ ପ୍ରାୟତଃ ରାଜତନ୍ତ୍ର ଯୋଗୁଁ ବିଶେଷ ଉନ୍ନତି କରିପାରିନାହିଁ । ଯଦି ଅଂଚଳର ଶିକ୍ଷା ଓ ସ୍ୱାସ୍ଥ୍ୟକୁ କ୍ରମାଗତ ଭାବେ ବହୁ ଅତୀତରୁ ଅବହେଳା କରାଯାଏ ତେବେ ଅଂଚଳର ଅର୍ଥନୈତିକ ବିକାଶ ସ୍ଥାଣୁ ହୋଇଯାଏ ଏବଂ ଏହି ପରିସ୍ଥିତି ପଶ୍ଚିମ ଓଡିଶାରେ ଆମ ଲୋକେ ଏବେ ଭୋଗୁଛନ୍ତି । ତେଣୁ ଆପଣମାନଙ୍କୁ ଏକତ୍ରିତ ହେବାର ସମୟ ଆସିଛି କେବଳ ନିଜ ପାଇଁ ନୁହେଁ, ସରକାରଙ୍କ ଏପରି ବୈମାତୃକ ମନୋଭାବ ଯୋଗୁଁ ପଶ୍ଚିମାଞ୍ଚଳର ବିକାଶ ଧିମେଇ ଗଲାଣି । ତେଣୁ ଯଦି ଆମ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନକୁ ସରକାର ଉପକୂଳ ଅଂଚଳ ପରି ସମାନ୍ତରାଳ ବିକାଶ ନ କରେ ତେବେ ରାଜ୍ୟ ଭାଗ ଭାଗ ହେବା ସୁନିଶ୍ଚିତ ବୋଲି ସେ କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସତ୍ୟଭୂଷଣ ସାହୁ କୁବେର ସମାଜର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଆଦିବାସୀ କଳା ଉପରେ ଚିତ୍ରଶିଳ୍ପୀ ନମିତା ସାହୁଙ୍କ ଏକକ ଚିତ୍ରକଳା ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାସଭା ସଭାପତି ଲକ୍ଷ୍ମଣ ସାହୁ, ଉପ-ସଭାପତି ଗଜିନ୍ଦ୍ର ସାହୁ, ସଂପାଦକ ରମେଶ ସାହୁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ସାହୁ, କୁବେର ଯୁବାମଂଚ ସଭାପତି ଲିଙ୍ଗ ସାହୁ, ମହିଳା ସଭାପତି ରଶ୍ମିତା ସାହୁ ପ୍ରମୁଖ ମଂଚାସିନ ଥଲେ ।

Leave A Reply

Your email address will not be published.