୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ଉଦ୍‌ଯାପିତ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ୱୀପ ସାଗରିକା କଳା ନିକେତନ ମୁକ୍ତ ମଞ୍ଚରେ ୩ଦିନ ଧରି ଚାଲିଥିବା ୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ମଙ୍ଗଳବାର ସଂନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଅବସରରେ ପାରାଦ୍ୱୀପ ବନ୍ଦରର ମୁଖ୍ୟ ଅର୍ଥ ପରାମର୍ଶଦାତା ଧର୍ମେନ୍ଦ୍ର ନାଥ ସୋନ୍ଧୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ୟାନ୍‌ମାସର ଏଭଳି କାର୍ଯ୍ୟ ପାଇଁ ଏବଂ ନାଟକର ସମସ୍ତ କଳାକାର ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶୁକଦେବ ଜେନାଙ୍କୁ ସମ୍ମାନୀତ କରାଯାଇଥିଲା । କରୋନା କଟକଣା ଯୋଗୁଁ ଏହି ମହୋତ୍ସବ ସୀମିତ ଦର୍ଶକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୟୁଟୁବ୍‌ ଓ ସୋସିଆଲ ମିଡିଆରେ ପ୍ରତ୍ୟକ୍ଷ ପ୍ରସାରଣ କରାଯାଇଥିଲା, ଯାହା ଫଳରେ ଅନେକ ନାଟ୍ୟପ୍ରେମୀ ଏହି ନାଟକ ମହୋତ୍ସବକୁ ଉପଭୋଗ କରିପାରିଥିଲେ । ପ୍ରଥମ ଦିବସରେ ପାରାଦ୍ୱୀପ କ୍ୟାନମାସ୍‌ ପକ୍ଷରୁ ଓଡିଆ ନାଟକ ‘ସ୍ୱୟମ୍ବର’ ପ୍ରଦର୍ଶିତ ହୋଇଥିବାବେଳେ ଦ୍ୱିତୀୟ ଦିନରେ କଲିକତାର ପୂର୍ବ ରଙ୍ଗ ଷ୍ଟେପ ଆଣ୍ଡ ଷ୍ଟେଜ୍‌ ଗ୍ରୃପ୍‌ ପକ୍ଷରୁ ବଙ୍ଗଳାଭାଷୀ ନାଟକ ‘ସୀତାୟନ’ ପ୍ରଦର୍ଶିତ ହୋଇଥିଲା । ମଙ୍ଗଳବାର ତୃତୀୟ ତଥା ଅନ୍ତିମ ସଂନ୍ଧ୍ୟାରେ ଭୋପାଳର ଏକରଙ୍ଗ କଲ୍‌ରୋଲ୍‌ ସୋସାଇଟି ଅନୁଷ୍ଠାନ ର କଳାକାର ମାନଙ୍କ ପକ୍ଷରୁ ହିନ୍ଦି ନାଟକ ‘ମଧ୍ୟାନ୍ତର’ ମଞ୍ଚସ୍ଥ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କ୍ୟାନ୍‌ମାସ ସଂସ୍ଥାର ସଭାପତି କ୍ୟାପ୍‌ଟେନ୍‌ ଅତୁଲ୍ୟ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସଂପାଦକ ନାରାୟଣ ମିଶ୍ର ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ସଦସ୍ୟା ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!