ବଲାଙ୍ଗିର ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକୋତ୍ସବ

  • ପ୍ରତିଯୋଗିତା ବଦଳରେ ସହଭାଗିତା ଛାତ୍ରଛାତ୍ରୀଙ୍କୁ ଉନ୍ନତ କରିଥାଏ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ (୨)ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଗଣେଶ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ମୁଖ୍ୟବକ୍ତା ଭାବରେ ଡିଏଭି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡ. ଛାୟାକାନ୍ତ ଷଢଙ୍ଗୀ ଯୋଗଦେଇଥିଲେ । ପରିବାରର ଛୋଟ ଛୋଟ ଘଟଣା ଛାତ୍ରଛାତ୍ରୀଙ୍କ ମନରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ ଅଭିଭାବକମାନେ ତାଙ୍କ ପିଲାଙ୍କ ଜୀବନ ଗଢିବାକୁ ପ୍ରେରିତ ହୁଅନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ରାଣା କହିଥିଲେ । ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତାର କ୍ଷେତ୍ର ନହୋଇ ସହନଶୀଳତା, ସହଯୋଗ ଓ ସହଭାଗିତାର କ୍ଷେତ୍ର ହେଲେ ଜୀବନର ଗତିପଥ ଉନ୍ନତ ହୋଇପାରିବ । ସ୍କୁଲରେ କେବଳ ମେଧାବୀ ବଦଳରେ ଉତ୍ତମ ଗୁଣର ଛାତ୍ରଛାତ୍ରୀ ନିର୍ମାଣ ହୁଅନ୍ତୁ ବୋଲି ମୁଖ୍ୟବକ୍ତା ଷଢଙ୍ଗୀ ମତବ୍ୟକ୍ତ କରିଥିଲେ । ସ୍କୁଲର ଅଧ୍ୟକ୍ଷ ଶ୍ରୀ ପଧାନ ସ୍କୁଲର ବିବିରଣୀ ପଠନ କରି ସ୍କୁଲର କାର୍ଯ୍ୟକ୍ରମ ଓ ଉପଲବ୍ଧୀ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମକୁ ଅରୂପ ପୁରୁକାୟସ୍ଥ ପରିଚାଳନା କରିଥିଲେ । ଏହି ଅବସରରେ ସ୍କୁଲରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ସଭାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛାତ୍ର ଅନ୍ୱେଷ ପ୍ରସାଦ ଦାସ, ଆରାଧ୍ୟା ପୂଣ୍ୟତୋୟା ଓ ମେହୁଲା ଏମ୍‌. ଯୋଷୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ “ମୋର ବଲାଙ୍ଗିର ମୋତେ ସୁନ୍ଦର” ଓ “କଳାହାଣ୍ଡିଆ” ଗୀତ ନୃତ୍ୟ, ବାଦ୍ୟ ଓ ଗୀତ କାର୍ଯ୍ୟକ୍ରମ ଉଚ୍ଚକୋଟିର ହୋଇ ଦର୍ଶକଙ୍କ ମଧ୍ୟରେ ପ୍ରଶଂସିତ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ସମରେନ୍ଦ୍ର ପାଣ୍ଡେ, ଶିକ୍ଷକ ଗର୍ଜନ ଗାଗରିଆ, ନୀଳକଣ୍ଠ ମିଶ୍ର, ସୁବ୍ରତ ବେହେରା, ସତ୍ୟପ୍ରସାଦ ସାହୁ, ରଶ୍ମିତା ମିଶ୍ର, ପ୍ରବୀର ମେହେର ପ୍ରମୁଖ ସହଯୋଗ କରି ସଫଳ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ଅତିଥିମାନେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆୟୋଜିତ ଚିତ୍ରକଳା ଓ କଣ୍ଢେଇ ପ୍ରଦର୍ଶିନୀକୁ ବୁଲି ଦେଖିଥିଲେ ।

Leave A Reply

Your email address will not be published.