ଓସାକା ତରଫରୁ ହାଇଦ୍ରାବାଦ୍‌ରେ ପଶ୍ଚିମ ଓଡିଶା ଆଧାରିତ ସେମିନାର ଅୟୋଜିତ

ହାଇଦ୍ରାବାଦ୍ : ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ୧୭ ଡିସେମ୍ବର ଦିନ ପଶ୍ଚିମ ଓଡିଶାର ଗୌରବମୟ ଐତିହ୍ୟ ଏବଂ ଉନ୍ନତି ଉପରେ ଆଲୋଚନା ପାଇଁ ଏକ ସେମିନାର ଅୟୋଜିତ ହୋଇଥିଲା । ହାଇଦ୍ରାବାଦ୍ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ “ଓସାକା” ଏହି ସେମିନାର ଆୟୋଜନ କରିଥିଲା । କେବଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୀମିତ ନ ରହିକି ପଶ୍ଚିମ ଓଡିଶା ଉପରେ ବୌଦ୍ଧିକ ଆଲୋଚନା ଉପରେ ମଧ୍ୟ ପ୍ରୟାସ କରିବାକୁ ଓସାକାର ସଭାପତି ସୁନୀଲ କୁମାର ଗଡ଼ତ୍ୟା ତାଙ୍କର ସ୍ଵାଗତ ବାର୍ତ୍ତାରେ ସୂଚନା ଦେଇଥିଲେ । ଓସାକାର ପୂର୍ବତନ ସଭାପତି ରାମକୃଷ୍ଣ ବାରିକଙ୍କ ସେମିନାରର ଆଭିମୁଖ୍ୟ ସୂଚନା ଏବଂ ସାଧାରଣ ସମ୍ପାଦକ ସନ୍ଦୀପ ପାଣିଗ୍ରାହୀଙ୍କ ଅତିଥି ପରିଚୟ ପ୍ରଦାନ ପରେ ସେମିନାର ଆରମ୍ଭ ହୋଇଥିଲା । ହାଇଦ୍ରାବାଦ୍‌ର ବାଘଲିଙ୍ଗମପଲ୍ଲୀ ସ୍ଥିତ ସୁନ୍ଦରୟା ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ ଓସାକାର ଏହି ସେମିନାରରେ ଯୋଗ ଦେଇଥିଲେ ବିଶିଷ୍ଟ ସଂସ୍କୃତି ବିଶାରଦ ଡ. ଘାସିରାମ ମିଶ୍ର, ପ୍ରଫେସର ଲୋହିତାକ୍ଷ ଯୋଶୀ, ପ୍ରଫେସର ମୋହନ ସାହୁ, ଆଡଭୋକେଟ୍ ପ୍ରଶାନ୍ତ କୁମାର ମାଝୀ ଏବଂ ନି-ଏମ୍.ଏସ୍.ଏମ୍.ଇର ପ୍ରାଧ୍ୟାପକ ଡ. ଶ୍ରୀକାନ୍ତ ଶର୍ମା । ବକ୍ତାମାନେ ପଶ୍ଚିମ ଓଡିଶାର ଗୌରବମୟ ଇତିହାସ, ସଂସ୍କୃତି ଉପରେ ଆଲୋକପାତ କରିବା ସହ ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ଆମ ସମସ୍ତଙ୍କର ଏକତା ତଥା କେବଳ ନାଚଗୀତରେ ମସଗୁଲ ନ ହୋଇ ପଶ୍ଚିମ ଓଡିଶା ଉପରେ ଗବେଷଣା ଏବଂ ଅଧ୍ୟୟନ ସହ ସଚେତନ ହେବା ଜରୁରୀ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେମିନାରର ପ୍ରଶ୍ନୋତ୍ତୋରୀ କାର୍ଯ୍ୟକ୍ରମରେ ପ୍ରତିଭାଗୀ ମାନେ ଆଗ୍ରହ ସହ ପଶ୍ଚିମ ଓଡିଶା ବିଷୟରେ ଅବଗତ ହେବା ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଶ୍ନମାନେ ପଚାରିଥିଲେ ଏବଂ ବକ୍ତାମାନେ ମଧ୍ୟ ସମସ୍ତଙ୍କର ଉତ୍ତର ଦେଇଥିଲେ । ଶେଷରେ ଓସାକାର କାର୍ଯ୍ୟକାରିଣୀ ସଦସ୍ୟ ଶଙ୍କର୍ଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସେମିନାରକୁ ସୁନ୍ଦର ଭାବେ ସଂଯୋଜନା କରିଥିଲେ କୁମୁଦ ରଂଜନ ପଣ୍ଡା, ପଦ୍ମନାଭ ପଧାନ ଏବଂ ପ୍ରତ୍ୟୁଷ ରଞ୍ଜନ ମିଶ୍ର ।

Leave A Reply

Your email address will not be published.