ପୂର୍ବ ଶତ୍ରୁତାରୁ ଯୁବକଙ୍କୁ କାଠ ଫାଳିଆରେ ଆକ୍ରମଣ : ତେର ଦିନ ପରେ ଜୀବନ ଗଲା, ଜେଲରେ ଦୁଇ ଅଭିଯୁକ୍ତ

କଳାହାଣ୍ଡି, (ପି.କେ.ସାହୁ) : ଗତ ବର୍ଷେ ତଳର ଶତ୍ରୁତା ଶେଷରେ ଜଣକର ଜୀବନ ନେଇଥିବା ବେଳେ ଏଥିରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଜେଲ୍ ଯିବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ପୋଖରୀବନ୍ଧ ଗ୍ରାମପଞ୍ଚାୟତ ଜନାଙ୍ଗପଟା ଗାଁରେ । ପୂର୍ବ ଶତ୍ରୁତାକୁ ନେଇ ଗାଁର ଶ୍ୟାମ ମାଝୀ(୩୦)ଙ୍କୁ ସେଇ ଗାଁର ବସନ୍ତ ମାଝୀ ଓ ବାବୁଲା ମାଝୀ ଗତ ସାତ ତାରିଖ ଦିନ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଏଥିରେ ଶ୍ୟାମ ଲହୁଲୁହାଣ ହୋଇ ପଡିଥିବାବେଳେ ଗୁରୁତର ଭାବେ ତାଙ୍କୁ ପରିବାର ଲୋକେ ପ୍ରଥମେ ବିଶ୍ୱନାଥପୁର ଓ ପରେ ଭବାନୀପାଟଣ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ । ଏହି ଘଟଣା ବିଶ୍ୱନାଥପୁର ଥାନାରେ ଅଭିଯୋଗ ହେବାପରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେଠାରେ ଜାମିନ ନାମଞ୍ଜୁର ହୋଇଯିବା ପରେ ମରଣାନ୍ତକ ଆକ୍ରମଣ ମାମଲାରେ ସେମାନେ ଏବେ ଜେଲରେ ଅଛନ୍ତି । ଅପରପକ୍ଷରେ ତେର ଦିନ ଯାଏଁ ଜୀବନ ମରଣ ସଂଘର୍ଷ କରି ଆଜି ସକାଳେ ଶ୍ୟାମଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁ ପରେ ପରିବାର ଲୋକଙ୍କଠାରୁ ଖବର ପାଇ ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଏହା ସହିତ ପୂର୍ବରୁ ରୁଜୁ ହୋଇଥିବା କେସ୍ ନଂ ୫୨/୨୦୨୦ ମାମଲା ଏବେ ହତ୍ୟା ମାମଲାରେ ରୂପାନ୍ତରିତ ହୋଇଥିବା ବେଳେ ମାମଲାର ତଦନ୍ତ ଚାଲିଥିବା ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!