ବେଲପଡା ୨୬ ନଂ. ଜୋନ୍‌ କୋଶଳ ସମର୍ଥିତ ପ୍ରାର୍ଥୀ ଗୁଣନିଧି ବର୍ଗେ ଓ କୋଶଳ ଯୁବନେତା ବନମାଳି ନାଏକଙ୍କ ଉପରେ ହୋଇଥିବା ଆକ୍ରମଣକୁ କୋଶଳ ରାଜ୍ୟ ସମନ୍ୱୟ ସମିତିର ନିନ୍ଦା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଲପଡା ପଂଚାୟତ ସମିତି ୨୬ ନଂ. ଜୋନରେ ଜିଲ୍ଲା ପରିଷଦ ସଦସ୍ୟତା ପାଇଁ ଉପନିର୍ବାଚନ ଚାଲିଥିବା ବେଳେ କୋଶଲ ସମର୍ଥିତ ପ୍ରାର୍ଥୀ ଗୁଣନିଧି ବର୍ଗେ ଓ କୋଶଲ ଯୁବ ନେତା ବନମାଳି ନାଏକଙ୍କ ଉପରେ ହୋଇଥିବା ଆକ୍ରମଣକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ଦୃଢ଼ ନିନ୍ଦା କରିଛି । ସମିତି ପକ୍ଷରୁ କୁହାଯାଇଛି ଯେ, ଏହି ନିର୍ବାଚନରେ ବିଜେଡି, ବିଜେପି, କଂଗ୍ରେସର ପ୍ରାର୍ଥୀ ଛିଡା ହୋଇଥିବା ବେଳେ ପ୍ରଥମ ଥର ପାଇଁ କୋଶଳ ଆନ୍ଦୋଳନ ସମର୍ଥକ ତଥା କୋଶଳ ରାଜ୍ୟ ସମନ୍ୱୟ ସମିତିର ସଂଗ୍ରାମୀ ଆଦିବାସୀ ନେତା ଗୁଣନିଧି ବର୍ଗେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ରୂପେ ନିଶାନ୍‌ ଚିହ୍ନରେ ନିର୍ବାଚନ ଲଢୁଛନ୍ତି । ଦଳୀୟ ପ୍ରାର୍ଥୀମାନେ ଠିକାପକାକୁ ନଜର କରି ଲଢୁଥିବା ବେଳେ କୋଶଳ ଆନ୍ଦୋଳନ ସମର୍ଥିତ ପ୍ରାର୍ଥୀ ଗୁଣନିଧି ବର୍ଗେ ଜିଲ୍ଲା ପରିଷଦ ଅଂଚଳର ବିକାଶ ଓ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଗଠନର ଦାବୀ ନେଇ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଗତ ୨୩ ବର୍ଷ ହେଲା କୋଶଳ ଆନ୍ଦୋଳନ ଯେଉଁଭଳି ଭାବରେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବୀ ସଙ୍ଗେ ବିଭିନ୍ନ ଜନ ଦାବୀ ନେଇ ଲଢେଇ କରୁଛି ଓ ବିଶେଷ କରି ବିଗତ ୫ ବର୍ଷରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ବେଲପଡା ଶାଖାର ସାଥୀମାନେ ବେଲପଡା ଅଂଚଳର ଚାଷୀ, ଦାଦନ ଶ୍ରମିକ ଆଉ ଖଟିଖିଆମାନଙ୍କ ଦାବୀ ନେଇ ପ୍ରବଳ ସଂଘର୍ଷ କରି ଆସିଛନ୍ତି, ଏହା ଛଡା ବିଭିନ୍ନ ସମୟରେ ଦୁର୍ନିତି ବିରୁଦ୍ଧରେ ବ୍ୟାପକ ଜନ ଆନ୍ଦୋଳନ କରି କୋଶଳ ଅନ୍ଦୋଳନ ସଂପୃକ୍ତ ଅଂଚଳର ଲୋକପ୍ରିୟତା ହାସଲ କରିଛି, ତାହା ନିଶ୍ଚୟ ପ୍ରଶଂସନୀୟ । ତେଣୁ ଆନ୍ଦୋଳନ ପ୍ରତି ଜନ ସମର୍ଥନର ଗଭୀରତାକୁ ପରୀକ୍ଷା କରିବା ପାଇଁ ଏହି ନିର୍ବାଚନରେ କୋଶଳ ଆନ୍ଦୋଳନ ତରଫରୁ ବିଶିଷ୍ଠ ଆଦିବାସୀ ସଂଗଠକ ଗୁଣନିଧି ବର୍ଗେଙ୍କୁ ପ୍ରାର୍ଥୀ କରାଯାଇଛି । ନିର୍ବାଚନ ପ୍ରଚାର ମଇଦାନରେ ଗୁଣନିଧି ବର୍ଗେଙ୍କ ଲୋକପ୍ରିୟତାରେ ଈର୍ଷାନ୍ୱିତ ହୋଇ ଗତ କାଲି ରାତିରେ ଶାସକ ଦଳ ଦ୍ୱାରା ପ୍ରୟୋଜିତ କିଛି ଗୁଣ୍ଡା ଗୁଣନିଧି ବର୍ଗେ ଓ କୋଶଳ ଯୁବ ସମନ୍ୱୟ ସମିତିର ବନମାଳି ନାଏକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି । ଗତକାଲି ରାତିରୁ ଏତାଲା ଦିଆଯାଇଥିଲେ ସୁଦ୍ଧା ପୋଲିସ ପ୍ରଶାସନ ତରଫରୁ ବର୍ତ୍ତମାନ ଯାଏ କାହାକୁ ଗିରଫ କରାଯାଇ ନାହିଁ । ଗୁଣନିଧି ବର୍ଗେ ଓ ବନମାଳି ନାଏକଙ୍କ ଉପରେ ହୋଇଥିବା ଆକ୍ରମଣ ଶାସକ ଦଳର ହତାଶାର ପ୍ରତୀକ ଅଟେ । ବର୍ତ୍ତମାନର ଶାସକ ଦଳ ଉପକୂଳ ଓଡିଶାର ଏକ ଆଂଚଳିକ ଦଳ ହୋଇଥିବାରୁ ବିଭିନ୍ନ ସମୟରେ କୋଶଳ ଆନ୍ଦୋଳନକୁ କ୍ଷତି କଲା ଭଳିଆ ପଦକ୍ଷେପ ନେଉଛି । ଅତୀତରେ ରାଜ୍ୟର ସବୁତକ ବିକାଶ ଉପକୂଳ ଓଡିଶାରେ କରିସାରିଲା ପରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ନେଇ ଜବରଦସ୍ତି କୋଶଳ ଉପରେ ଲଦି ଦେଇଛି । ତେଣୁ କୋଶଳ ଆନ୍ଦୋଳନ ସମର୍ଥିତ ପ୍ରାର୍ଥୀଙ୍କ ଲୋକପ୍ରିୟତାରେ ଈର୍ଷାନ୍ୱିତ ହୋଇ ଉପକୂଳ ଓଡିଶା ଦ୍ୱାରା ପ୍ରୟୋଜିତ ଶାସକ ଦଳର ଏଭଳି ଆକ୍ରମଣ ସେମାନଙ୍କ ଅପରାଧୀ ମନୋଭାବକୁ ପ୍ରତିଫଳିତ କରୁଛି । ସେମାନଙ୍କ ଏତାଦୃଶ ଆକ୍ରମଣକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ଗଣତାନ୍ତ୍ରିକ ଭାବରେ ଉଚିତ୍‌ ଜବାବ୍‌ ଦିଆଯିବ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଚେତାବନୀ ଦେଇଛନ୍ତି । ବିନା ପଇସାରେ କୋଶଳ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ରାଜନୈତିକ ଦଳମାନେ ବିଶେଷ କରି ଶାସକ ଦଳ ତରଫରୁ ମଦ, ମାଂସ ଓ ଟଙ୍କାର ବନ୍ୟା କରାଯାଉଛି । ତେଣୁ କୋଶଲ ସଂଗ୍ରାମୀମାନେ ଏଭଳି ଆକ୍ରମଣରେ ନିରୁତ୍ସାହିତ ନ ହୋଇ ବହୁ ଗୁଣରେ କ୍ରିୟାଶୀଳ ହେବାକୁ ଓ ଜନ ସାଧାରଣ ଏଭଳି ଗୁଣ୍ଡାମୀକୁ ସମୁଚିତ ଜବାବ୍‌ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!