ଭାରତୀୟ ସଶସ୍ତ୍ର ବାହିନୀ ପତାକା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଦେଶର ସଶସ୍ତ୍ର ବାହିନୀ ଆମର ଶକ୍ତି । ସେମାନେ ସୀମାରେ ଠିଆ ହୋଇ ଦେଶବାସୀଙ୍କୁ ଭଲ ନିଦ ସୁନିଶ୍ଚିତ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ରଖନ୍ତି । ସେମାନେ ସାହସିକତା ଏବଂ ବୀରତ୍ୱସହ ଶତ୍ରୁମାନଙ୍କ ସହିତ ଲଢନ୍ତି ଏବଂ ଏପରିକି ବେଳେବେଳେ ଦେଶର ସେବା କରିବା ପାଇଁ ଶହୀଦ ହୁଅନ୍ତି । ଦେଶ ପ୍ରତି ସେମାନଙ୍କର ପ୍ରେମ ଓ ପ୍ରତିବଦ୍ଧତା ହେତୁ ସଶସ୍ତ୍ର ବାହିନୀ ଦେଶ ତଥା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବଳି ଦେଇଥାଏ । ଅଗଷ୍ଟ ୨୮.୧୯୪୯ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଥିଲା ​​ଯେ ଡିସେମ୍ବର ୭କୁ ସଶସ୍ତ୍ର ବାହିନୀ ପତାକା ଦିବସ ଭାବରେ ପାଳନ କରାଯିବ । ଏହାସହ ବ୍ୟାଜ୍ ଏବଂ ଷ୍ଟିକର୍‌ ବିକ୍ରୟ କରି ସଶସ୍ତ୍ର ବାହିନୀର ବିକାଶ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଲୋକଙ୍କୁ ଅନୁରୋଧ କରେ । ଏହି ଦିନ ଜନସାଧାରଣ ଏକତ୍ରିତ ହୋଇ ଯୁଦ୍ଧ ପୀଡିତଙ୍କ ପାଇଁ ପୁନଃ ଥଇଥାନ ଏବଂ ସହୀଦ ହୋଇଥିବା ପରିବାର ବର୍ଗଙ୍କ କଲ୍ୟାଣ ପାଇଁ କିଛି ସେବା ପ୍ରଦାନ କାର୍ଯ୍ୟ ହାତକୁ ନେବାଲାଗି ସମର୍ପଣ ଭାବ ସହିତ ଆଗେଇ ଆସନ୍ତି । ଏହି ଦିନ ଲୋକମାନେ ବିଶେଷ ଭାବରେ ସହିଦମାନଙ୍କୁ ସମ୍ମାନ ଦିଅନ୍ତି ଏବଂ ଦେଶର ସେନା, ନୌସେନା ଏବଂ ବାୟୁସେନାରେ ଥିବା ସେନାମାନଙ୍କୁ କଲ୍ୟାଣ ତଥା ସହାୟତା ଯୋଗାଇବାରେ ସାହାଯ୍ୟ କରନ୍ତି । ଭାରତୀୟ ସଶସ୍ତ୍ର ବାହିନୀର ପତାକା ଦିବସ ପାଳନ ଆମ ସମସ୍ତଙ୍କୁ ମନେ ପକାଇ ଦେଇଥାଏ ଯେ ଆମ ପାଇଁ ସେମାନେ ବଳିଦାନ ଦେଇଥିବାରୁ ଆମେ ସେମାନଙ୍କୁ ଧନ୍ୟବାଦ ଦେବା ଓ କୃତଜ୍ଞତା ଜଣାଇବା ।

Leave A Reply

Your email address will not be published.