ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ଭିତ୍ତିଭୂମି ସମୀକ୍ଷା କଲେ ୫ଟି ସଚିବ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦରର ଭିତ୍ତିଭୂମି ପରିଦର୍ଶନ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ରବିବାର ଦିନ ପାରାଦୀପ ଗସ୍ତରେ ଆସିଥିଲେ । ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ୫ଟି ସଚିବ ଭି. କେ. ପାଣ୍ଡିୟାନ, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚୀବ ମନୋଜ ମିଶ୍ର ପ୍ରସ୍ତାବିତ ସ୍ଥାନ ବୁଲି ଦେଖିବା ସହ କାର୍ୟ୍ୟର ସମୀକ୍ଷା କରିଥିଲେ । ପାରାଦୀପ ବନ୍ଦର ମେରାଇନ୍‌ ବିଭାଗ ଲଂଚ୍‌ରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଜଳମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ନଦୀ ଭିତ୍ତିକ ବନ୍ଦର ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅନ୍ତର୍ଗତ ଆଖଡାଶାଳି ଗାଁ ନିକଟରେ ଏହି ବନ୍ଦର ପ୍ରତିଷ୍ଠା ହେବ । ପାରାଦୀପସ୍ଥିତ ମହାନୀ ମୁହାଣରୁ ପ୍ରାୟ ୧୩ କି.ମି. ଦୂରରେ ଏହି ପ୍ରକଳ୍ପ ସ୍ଥାନ ଚିହ୍ନଟ ହୋଇଛି । ସମସ୍ତ ପାଗରେ ଏବଂ ବହୁମୁଖୀ ବ୍ୟବହୃତ ହେବ ଏହି ନଦୀ ଭିତ୍ତିକ ବନ୍ଦର । ଏହାକୁ ପିପିପି ମୋଡ୍‌ରେ ଏହି ବନ୍ଦର ପ୍ରତିଷ୍ଠା ହେବ । ବାର୍ଷିକ ୫୪ ମେଟ୍ରିକ ଟନ୍‌ ପଣ୍ୟ କାରବାର ହେବାର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ୪,୦୬୨ କୋଟି ଟଙ୍କାର ପୁଂଜି ବିନିଯୋଗ ହେବ । ପ୍ରଥମ ପର୍ୟ୍ୟାୟରେ ୨୨ମେଟ୍ରିକ ଟନ୍‌ ପଣ୍ୟ କାରବାର ଆରମ୍ଭ ହେବ । ସେଥିପାଇଁ ୨,୫୬୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ସୂଚନା ମିଳିଛି । ପାରାଦୀପ ବନ୍ଦର ଏହି ପ୍ରକଳ୍ପ ପାଇଁ ଡ୍ରେଜିଙ୍ଗ, ରେଳ ଓ ସଡକପଥର ଯୋଗାଯୋଗ କରାଇବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩୦୦ ହେକ୍ଟର ଜମି ଯୋଗାଇ ଦେବା ପାଇଁ ଚିହ୍ନଟ ହୋଇଛି । ପାରାଦୀପ ବନ୍ଦରକୁ ଆବଶ୍ୟକୀୟ ସହଯୋଗ ଓ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ୨୦୧୮ ମସିହାରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । ଏହି ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ହେଲେ ପ୍ରଥମ ପର୍ୟ୍ୟାୟରେ ୪ ହଜାର ଓ ପରବର୍ତ୍ତି ସମୟରେ ୧୭୦୦ଙ୍କୁ ନିଯୁକ୍ତିର ସୁଯୋଗ ମିଳିପାରିବ ବୋଲି ଜଣାପଡିଛି ।

Leave A Reply

Your email address will not be published.