ମୁରିବାହାଲ ଫୁଟ୍‌ବଲ୍‌, କ୍ରିକେଟ୍‌ ଖେଳ, ଯାନୀଯାତ୍ରାରେ ବେଧଡ଼କ୍‌ ଚାଲିଛି ଘୁଡୁଘୁଡୁ ପଟ୍ଟି, ସଟା, ମଦ ଓ ନିଶା କାରବାର ଅଭିଯୋଗ

  • ବୟାଉଦର ଗାଁରେ ଚାଲିଥିବା ଅପେରାରେ ଘୁଡୁଘୁଡୁ ପଟ୍ଟି ଖେଳ ଅଭିଯୋଗ ପୁଲିସ୍‌, ପ୍ରଶାସନ ଜାଣି ଅଜଣା ନା ଅଣଦେଖା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ତଥା ବ୍ଳକ ଅଞ୍ଚଳର ୨୨ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହେଉଥିବା ଫୁଟବଲ, କ୍ରିକେଟ୍‌ ମ୍ୟାଚ୍‌, ଯାନିଯାତ୍ରା, ବଜାର, ଜନଗହଳି ସ୍ଥାନ ଆଦିରେ ବେଧଡ଼କ୍‌ ଭାବେ ବ୍ୟାପକ ଘୁଡୁଘୁଡୁ ପଟ୍ଟି, ସଟା, ମଦ ଓ ନିଶା କାରବାର ଚାଲିଥିବା ବାରମ୍ବାର ଅଭିଯୋଗ ହେଉଛି । ଏ ବିଷୟରେ ପୂର୍ବରୁ ମୁରିବାହାଲ ଥାନା ପରିସରରେ ଅନୁଷ୍ଠିତ ଥାନା ପୁଲିସ୍‌ ସମିତି ବୈଠକରେ ମଧ୍ୟ ଅଭିଯୋଗ ହୋଇଆସୁଛି । ମୁରିବାହାଲ ଥାନା ଅନ୍ତର୍ଗତ କେତେକ ଗ୍ରାମରେ ରୀତିମତ ଘୁଡୁଘୁଡୁ ପଟ୍ଟି, ସଟା ଓ ନିଶା କାରବାର ଦୀର୍ଘଦିନ ଧରି ବ୍ୟବସାୟ ଭାବେ ଚାଲିଥିବା ଅଭିଯୋଗ ହୋଇଛି । ଏହାର ଚେର ମୁରିବାହାଲ ସଦର ମହକୁମା ପର୍ଯ୍ୟନ୍ତ ମଧ୍ୟ ଲମ୍ବିଥିବା ଅଭିଯୋଗ ହୋଇଛି । ଏହା ସହିତ ଥାନା ଅନ୍ତର୍ଗତ ଅନ୍ୟାନ୍ୟ ଗ୍ରାମରେ ମଧ୍ୟ କିଛି ଯୁବକ ପ୍ରତ୍ୟେହ ସଟା କାରବାର ଚଳାଇଛନ୍ତି । ବିଭିନ୍ନ ଛକରେ ନାମକୁ ମାତ୍ର ଦୋକାନ ଖୋଲି କିଛି ଯୁବକ ସଟା ଓ ନିଶା କାରବାର କରୁଥିବା ଅଭିଯୋଗ ହୋଇଛି । ମୁରିବାହାଲ ଥାନା ପୁଲିସ୍‌ ପକ୍ଷରୁ ସେମିତି କୌଣସି ଆଖିଦୃଶିଆ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଥାନା ଅଞ୍ଚଳର ବହୁ ସ୍ଥାନରେ ଲୁଚାଛପାରେ ଘୁଡୁଘୁଡୁ ପଟ୍ଟି, ସଟା, ମଦ ଓ ନିଶା କାରବାର ଚାଲିଥିବା ବାରମ୍ବାର ଅଭିଯୋଗ ହେଉଛି । ଏହି ସଟା, ମଦ ଓ ନିଶା କାରବାରରେ କେତେକ ଉଚ୍ଚଶିକ୍ଷିତ ଯୁବକ, ଭଦ୍ରବ୍ୟକ୍ତି ଓ ନିଜକୁ ଗଣମାଧ୍ୟମ ପ୍ରତିନିଧି ବୋଲାଉଥିବା ଛଦ୍ମବେଶୀ ଯୁବକମାନେ ପୁଲିସ୍‌ ସହ ମଧ୍ୟସ୍ତି ସାଜି ସାମିଲ ହୋଇ ବେଧଡକ୍‌ ଘୁଡୁଘୁଡୁ ପଟ୍ଟି, ସଟା କାରବାର କରୁଥିବା ଅଭିଯୋଗ କରାଯାଇଛି । କେତେକ ଶିକ୍ଷିତ ଯୁବକ ଓ ନାବାଳକମାନେ ମଧ୍ୟ ପ୍ରତିଦିନ ନିଶା ଖାଇ ଦ୍ରୁତଗତିରେ ବାଇକ ଚଳାଇବା ସହ ଦୁର୍ଘଟଣା ଘଟାଇ ଓଲଟି ପ୍ରତିପକ୍ଷଙ୍କ ସହ ଗଣ୍ଡଗୋଳ କରୁଛନ୍ତି । ନିଶା ଖାଉଥିବା ଯୁବକମାନଙ୍କ ସାଙ୍ଗରେ ଅଯଥାରେ ଯୁକ୍ତିତର୍କ କରିବା ପାଇଁ ଲୋକେ ଚାହୁଁ ନ ଥିବା ବେଳେ ରାସ୍ତାରେ ଯିବାକୁ ଲୋକେ ଭୟ କରୁଛନ୍ତି । ଥାନା ତଥା ବ୍ଲକ ଅଞ୍ଚଳର ଯେଉଁଠି ବି ଛୋଟରୁ ବଡ ଫୁଟବଲ୍‌ ମ୍ୟାଚ୍ ହେଉ କି ଯାନିଯାତ୍ରା ହେଉ ସେଠାରେ ଘୁଡୁଘୁଡୁ ପଟ୍ଟି ଖେଳାଇବା ପାଇଁ ଏହାର ଦଲାଲ, ମଧ୍ୟସ୍ଥିମାନେ ସ୍ଥାନୀୟ ପୁଲିସ୍‌ ସହ ଯୋଗାଯୋଗ କରିବା ପାଇଁ ଥାନାର ଚକ୍କର୍‌ ମାରୁଛନ୍ତି । ଏହି ଘୁଡ଼ୁଘୁଡୁ ପଟ୍ଟିକୁ ବିଶେଷ ରୂପେ ପଡୋଶୀ ଥାନା ଅଞ୍ଚଳର ଯୁବକମାନେ ଆସି ପୁଲିସ୍‌, ଆୟୋଜକ କମିଟି ସହ ସଲାସୁତୁରା କରି ବ୍ଲକ ଅଞ୍ଚଳରେ ଖେଳାଉଥିବା ଦେଖିବାକୁ ମିଳିଛି । ଏଥିରେ ସମସ୍ତ ଯୁବଗୋଷ୍ଠୀ ସର୍ବସ୍‌ସ୍ୱାନ୍ତ ହୋଇ ବିପଥଗାମୀ ହେଉଥିବା ଘୁଡୁଘୁଡୁ ପଟ୍ଟି, ସଟା, ମଦ ଓ ନିଶା କାରବାରକୁ ପ୍ରଶ୍ରୟ ନ ଦେଇ ଏଭଳି ଅସାମାଜିକ କାର୍ଯ୍ୟ ଓ ଏଥିରେ ସଂପୃକ୍ତ ତଥାକଥିତ ଭଦ୍ର ଯୁବକମାନଙ୍କୁ ପୁଲିସ୍‌ ଦୃଢ଼ ହସ୍ତରେ ଦମନ ପାଇଁ ମୁରିବାହାଲ ଥାନା ପୁଲିସ୍‌ ପକ୍ଷରୁ ଥାନା ଅଞ୍ଚଳରେ ବ୍ୟାପକ ପୁଲିସ୍‌ ପେଟ୍ରୋଲିଂ ଓ ଚଢ଼ାଉକୁ ଜୋର୍‌ଦାର୍‌ କରାଯିବାକୁ ବୁଦ୍ଧିଜୀବୀ ଓ ସାଧାରଣ ମହଲରେ ଦୃଢ଼ ଦାବୀ କରାଯାଇଛି । ଗତ ଦୁଇଦିନ ତଳେ ଏହି ଥାନା ଇଛାପଡ଼ା ପଞ୍ଚାୟତ ବୟାଉଦର ଭଳି ଏକ ଛୋଟ ଗ୍ରାମରେ ଉପକୂଳ ଅଞ୍ଚଳରୁ ଏକ ଅପେରା ଆସି ନାଟକ ପରିବେଷଣ କରୁଥିବା ବେଳେ କୋଶଳ ସମର୍ଥିତ ଯୁବକମାନେ ପହଞ୍ଚି ଏହାକୁ ବନ୍ଦ କରିଥିଲେ । ଏହି ଅପେରା ସ୍ଥାନରେ ଘୁଡୁଘୁଡୁ ପଟ୍ଟି ଖେଳ ଚାଲିଥିବାରୁ ଏହି ଅପେରା ଆଣିବାରେ ସଟା ଓ ଘୁଡୁଘୁଡୁ ପଟ୍ଟି ଦଲାଲଙ୍କ ହାତ ଥିବା ଅଭିଯୋଗ ହେଉଛି । ଥାନା ଅଞ୍ଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ପୁଲିସ୍‌ ସବୁ ଜାଣି ଅଜଣା ନା ପୁଲିସ୍‌ ପ୍ରଶାସନକୁ ଲୋକେ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏ ନେଇ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁରିବାହାଲ ଥାନା ତଥା ବ୍ଲକ ଅଞ୍ଚଳ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଅଧିକ ସଂଖ୍ୟକ ଦକ୍ଷ, ସଚ୍ଚୋଟ ପୁଲିସ୍ ଅଧିକାରୀ ଓ ଅଧିକ ସଂଖ୍ୟକ ପୁଲିସ କର୍ମଚାରୀ ନିଯୁକ୍ତି ଦେବାକୁ ବୁଦ୍ଧିଜୀବୀ ମହଲରୁ ବିନମ୍ର ଅନୁରୋଧ କରାଯାଇଛି ।

Leave A Reply

Your email address will not be published.