jayashree

ରାଉରକେଲା କଲେଜରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ଏବଂ ୟୁଥ୍ ରେଡ଼କ୍ରସ୍ ଶାଖାର ମିଳିତ ଆନୁକୂଲ୍ୟରେ ‘ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଡିଭିଜନର ଦୁର୍ନୀତି ନିବାରଣ ବିଭାଗ ତରଫରୁ ମୁଖ୍ୟ ଅତିଥି ଭାବରେ ନିରୀକ୍ଷିକା ରଶ୍ମିତା ଲାକ୍ରା ଏବଂ ଅନ୍ୟତମ ଅତିଥି ଭାବେ ନିରୀକ୍ଷିକା ଲିପିକା ନାୟକ ଯୋଗ ଦେଇଥିଲେ । ଅଧ୍ୟକ୍ଷା ପ୍ରଫେସର ପ୍ରଧାନଙ୍କ ପ୍ରାରମ୍ଭିକ ଅଭିଭାଷଣ ପରେ ମୁଖ୍ୟ ଅତିଥି ଶ୍ରୀମତୀ ଲାକ୍ରା ଏବଂ ଅନ୍ୟତମ ଅତିଥି ଶ୍ରୀମତୀ ନାୟକ ସ୍ୱେଚ୍ଛାସେବୀମାନଙ୍କୁ ଦେଶ ଗଠନ ଓ ଦୁର୍ନୀତି ନିବାରଣରେ ସେମାନଙ୍କର ଭୂମିକା ଓ ଜାଗରୁକତା ଏକାନ୍ତ ଜରୁରୀ ବୋଲି ମତପୋଷଣ କରିଥିଲେ । ରାଷ୍ଟ୍ରୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଏ ଅବସରରେ ମତ ରଖିଲେ ଯେ, ଦେଶର ଦୃତ ପ୍ରଗତିରେ ଦୁର୍ନୀତି ନିବାରଣ ବିଭାଗର ଏକନିଷ୍ଠ କର୍ତ୍ତବ୍ୟବୋଧକୁ ଆମେ ସ୍ବୀକୃତି ଦେବା ସହ ପ୍ରଶଂସା କରିବା ଉଚିତ୍ । କାରଣ ଦୁର୍ନୀତିଗ୍ରସ୍ତ ଅଧିକାରୀ, ବ୍ୟକ୍ତିଙ୍କ ଆୟ ବହିର୍ଭୂତ ସଂପତ୍ତି ଠାବ, ଜବତ, ମାମଲା ରୁଜ୍ଜୁ ପ୍ରସଙ୍ଗ ସହ ତ୍ୱରିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଖବର ଆଜିକାଲି ଖବର କାଗଜ ପୃଷ୍ଠା ମଣ୍ଡନ କରୁଛି ଏବଂ ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ସଚେତନତା ମାଧ୍ୟମରେ ଦୁର୍ନୀତି ନିବାରଣରେ ଖୁବ୍ ସହାୟକ ହୋଇପାରିବ । କାର୍ଯ୍ୟକ୍ରମରେ ସହକାରୀ ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ୟୁଥ୍ ରେଡ଼କ୍ରସ୍ ଶାଖାର ପ୍ରୋଗ୍ରାମ ଅଫିସର ରଞ୍ଜିତ କୁମାର ପ୍ରଧାନ ମଞ୍ଚ ସଂଯୋଜନା କରିଥିବା ବେଳେ କାଉନସିଲର ମନୋଜ କୁମାର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅଧ୍ୟକ୍ଷା ପ୍ରଫେସର ପ୍ରଧାନଙ୍କ ଦ୍ବାରା ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରାଯାଇଥିଲା । ବରିଷ୍ଠ ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା, ଅଧ୍ୟାପିକା ବୈଜୟନ୍ତୀ ବାରିକ, ସହକାରୀ ପ୍ରାଧ୍ୟାପିକା ଭାରତୀ ବରୱା, ସହକାରୀ ପ୍ରାଧ୍ୟାପକ ବନବିହାରୀ କିଷାନ ଏବଂ ଅଧ୍ୟାପକ ବିକ୍ରମ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ବେଚ୍ଛାସେବୀମାନଙ୍କୁ ପ୍ରେରିତ କରିଥିଲେ । ଅଙ୍କିତା ବାର୍ଲା, ଶିବାନୀ କେର୍କେଟା, ଶ୍ରୀୟା ବାଗ, ଚନ୍ଦା ସିଂହ, ରିୟା ହାସିନା ଲାକ୍ରା, ପ୍ରଭାତୀ ସାହୁ, ମାଳତୀ ଲାକ୍ରା, ବିରାସମୁନି ମିଞ୍ଜ, ଆଲବିନା ଟପୋ, ସୀମା ମିଞ୍ଜ, ପ୍ରିୟଙ୍କା ବାର୍ଲା ପ୍ରମୁଖ ବହୁ ସ୍ବେଚ୍ଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.