ନୂଆଦିଲ୍ଲୀ : ତିନିଟି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବୀ କରୁଥିବା କୃଷକଙ୍କ ୩୦ଟି ସଂଗଠନ ଆଜି ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ କୃଷକମାନେ ସନ୍ଥ ରାମ ସିଂଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା କରିବେ । ଏହା ବ୍ୟତୀତ ସୁପ୍ରିମ କୋର୍ଟରେ ଚାଲିଥିବା ମାମଲା ପାଇଁ ରଣନୀତି ପ୍ରସ୍ତୁତ କରିବା ଉପରେ ଆଲୋଚନା ହେବ । କୃଷକମାନେ କହିଛନ୍ତି ଯେ, ଆଇନଗତ ନୋଟିସ ପାଇବା ପରେ ସେମାନେ ସୁପ୍ରିମ କୋର୍ଟରେ ପକ୍ଷ ରଖିବା ପାଇଁ କାର୍ୟ୍ୟ ଯୋଜନା ପ୍ରସ୍ତୁତ କରିବେ ।
ଆଜି କ୍ରମାଗତ ଦ୍ୱିତୀୟ ଦିନ ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ଗତକାଲି ଏହି ସମସ୍ୟାର ସମାଧାନ ପାଇଁ କମିଟି ଗଠନ କରାଯାଇଥିଲା, ଆଜି ଏହା ଉପରେ ପରିସ୍ଥିତି ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଦିଲ୍ଲୀ ସୀମାରେ ପ୍ରବଳ ଥଣ୍ଡା ସତ୍ତ୍ୱେ ଚାଷୀମାନେ ବିକ୍ଷୋଭରେ ବସିଛନ୍ତି । କୁନ୍ଦୁଲି ସୀମାରେ ଶିଖ ସନ୍ଥ ରାମ ସିଂଙ୍କ ଆତ୍ମହତ୍ୟା ହେବାର ଗୋଟିଏ ଦିନ ପରେ ରାଜନୈତିକ ହଟଚମଟ ବୃଦ୍ଧି ଘଟିଛି । ବିଶିଷ୍ଟ ସମାଜସେବୀ ପି.ଭି. ରାଜାଗୋପାଲ ନୂତନ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ କରୁଥିବା କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି । କୁହାଯାଉଛି ଯେ, ସେ ଚାଷୀଙ୍କ ସମର୍ଥନରେ ଗୁରୁବାର ଦିନ ମୋରେନା ଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଗତ ୨୧ ଦିନ ଧରି ହଜାର ହଜାର ଚାଷୀ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବୀରେ ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।