ଉଦ୍‌ଘାଟିତ ହେଲା ଦୁଲ୍‌ଦୁଲି କଳା ପରିଷଦର ଲୋକକଳା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକକଳା ନିଜ ମାଟିର ଭାଷା, ଗୀତ, ନାଚ ସହ ପରମ୍ପରାକୁ ସମୃଦ୍ଧ କରିଥାଏ । ଲୋକକଳା ପ୍ରତି ସମ୍ମାନ ଓ ତାର ସଂରକ୍ଷଣ ପ୍ରତି ପ୍ରତ୍ୟେକ ଜନସାଧାରଣଙ୍କ ଦାୟିତ୍ୱ ରହିଛି । ପୁଣି ଲୋକ କଳାକାରଙ୍କୁ ଉଚିତ୍‌ ସହାବସ୍ଥାନର ସୁଯୋଗ ପ୍ରଦାନ କରିବା ସରକାର ତଥା ଜନସାଧାରଣଙ୍କ ମୁଖ୍ୟ ଲକ୍ଷ୍ୟ ହେବା ନିହାତି ଆବଶ୍ୟକ । ଏଭଳି ମତବ୍ୟକ୍ତ କରିଛନ୍ତି ଅତିଥିମାନେ ବଲାଙ୍ଗିର ଟାଉନ୍‌ ହଲ୍‌ରେ ଆୟୋଜିତ ଦୁଲ୍‌ଦୁଲି କଳା ପରିଷଦର ଲୋକକଳା ଉତ୍ସବରେ । ଗତକାଲି ସଂଧ୍ୟାରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତଥା ଇଜେଡ଼୍‌ସିସି ସହାୟତାରେ ଦୁଲ୍‌ଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ଲୋକକଳା ଉତ୍ସବର ଉଦ୍‌ଘାଟନୀ ସଭାରେ ପରିଷଦର ସଭାପତି ପ୍ରଭାସ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ କଳାକାର ତଥା ସିନେ ଅଭିନେତା, ସାଇଟ୍‌ର ପ୍ରତିଷ୍ଠାତା ଡ.ଶ୍ରୀକର ମିଶ୍ର, ବୁର୍ଲା ଭୀମ୍‌ସାର୍‌ର ପ୍ରଫେସର ଡାକ୍ତର ବେଣୁଧର ପାଣ୍ଡେ, ମଂଚ ଓ ସିନେ ନିର୍ଦ୍ଦେଶକ ଏନ୍‌ଏସ୍‌ଡ଼ିଆନ୍‌ ରାମଚନ୍ଦ୍ର ସାହୁ ଅତିଥି ଭାବେ ଯୋଗଦାନ କରି ଲୋକକଳାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସଂଦୀପ କୁମାର କୁଅଁର ମଂଚ ପରିଚାଳନା କରିଥିବା ବେଳେ ଦୁଲ୍‌ଦୁଲି କଳା ପରିଷଦର ସଂପାଦକ ବାସୁଦେବ ସା’ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସଭା ପରେ ପରେ ଆରମ୍ଭ ହୋଇଥିଲା ଲୋକ ସଂଗୀତ ଓ ନୃତ୍ୟର ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ମାଟିର ସୁଯୋଗ୍ୟ କଳାକାର ତଥା ସଂଗୀତଜ୍ଞମାନଙ୍କ ଦ୍ୱାରା ସଂଗୀତ ପରିବେଷଣ ହୋଇଥିବା ବେଳେ ରାଜ୍ୟ ବାହାରୁ ମଧ୍ୟ ଅନେକ ସାଂସ୍କୃତିକ ଦଳ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.

error: Content is protected !!