jayashree

ମହମ୍ମଦ ଜୟନ୍ତୀ ପାଳନ ନିମନ୍ତେ ଅନୁଷ୍ଠିତ ହେଲା କ୍ୱିଜ୍‌ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମୁସଲିମ ସମ୍ପ୍ରଦାୟର ଲୋକମାନେ ଆସନ୍ତା ୨୮ ତାରିଖରେ ଧର୍ମଗୁରୁ ମହମ୍ମଦ ଜୟନ୍ତୀ ଅତି ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଅବସରରେ ଏକ କ୍ୟୁଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ୨୮ ତାରିଖ ଧର୍ମ ଗୁରୁ ମହମ୍ମଦଙ୍କ ଜୟନ୍ତୀ ସାରା ପୃଥିବୀରେ ପାଳିତ ହେବ ଏବଂ ସବୁ ବର୍ଷ ପରି ବଲାଙ୍ଗିରରେ ମଧ୍ୟ ଏହାକୁ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି ବଲାଙ୍ଗିର ସୁନ୍ନି ସଦର ମସଜିଦ କମିଟି ପ୍ରକାଶ କରିଛି । ଏଥିରେ ସହରରେ ଏକ ସଦ୍‌ଭାବନା ଶୋଭାଯାତ୍ରା ଆୟୋଜିତ ହେବ । ପରେ ସ୍ଥାନୀୟ ସୁନ୍ନି ସଦର ମସଜିଦ୍‌ରେ ଲଙ୍ଗର କାର୍ଯ୍ୟକ୍ରମ ଆୟୋଜନ ହେବ । ସେହିପରି ବଲାଙ୍ଗିର ସୁନ୍ନି ସଦର ମସ୍‌ଜିଦ୍‌ କମିଟି ଆନୁକୂଲ୍ୟରେ ଖିଦମତେ ଏ ରସୁଲ ସାମାଜିକ ଅନୁଷ୍ଠାନ ଏହା ପାଇଁ ଏକ କ୍ୱିଜ୍‌ ପ୍ରତିଯୋଗିତାର ଆୟୋଜନ କରିଥିଲା । ଏଥିରେ ସାତ ବର୍ଷରୁ ୧୧ ବର୍ଷ ମଧ୍ୟର ଶିଶୁମାନେ ଅଂଶ ଗ୍ରହଣ କରିଥିଲେ । ତେବେ ଏଥିରେ ମୁସ୍‌ଲିମ୍‌ ପବିତ୍ର ଗନ୍ଥ କୋରାନ ଉପରେ ଓ ଅନ୍ୟାନ୍ୟ ବିଷୟ ଉପରେ ଶିଶୁମାନଙ୍କୁ ଶିକ୍ଷା ଦିଆଯିବା ସହ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ଜଜ୍‌ ଭାବରେ ବଲାଙ୍ଗିର ମୁଫତି ମହମ୍ମଦ ରାଜା, ସୁନ୍ନି ସଦର ମସ୍‌ଜିଦ୍‌ ମୋଲାନା ମହମ୍ମଦ ମୋସିଦ ରାଜା ଓ ମହମ୍ମଦ ନଫିସ ରାଜା ପ୍ରମୁଖ ଶିଶୁମାନଙ୍କୁ ପ୍ରଶ୍ନ ପଚାରିବା ସହ ତାଙ୍କୁ ମାର୍କ ପ୍ରଦାନ କରିଥିଲେ । ସେହିପରି ଖିଦମତ ଏ ରସୁଲ କମିଟିର ସଭାପତି ଶୟଦ ଜମିଲ ହୁସେନ, ଉପସଭାପତି ଏସ୍‌କେ ଫିରାଶତ ଅଲ୍ଲୀ, ସମ୍ପାଦକ ଶୟଦ୍ ଇମ୍ରାନ ହୁସେନ, କୋଷାଧ୍ୟକ୍ଷ ଅନୱର ଖାନ, କାର୍ଯ୍ୟକ୍ରମ ମ୍ୟାନେଜର ଜୁନେଦ ଖାନ ଓ ଅନ୍ୟ ସଦସ୍ୟ ଶୟଦ ଜାହିର ଖାନ, ଶେଖ ସାଜିଦ୍, ଶେଖ ମହମ୍ମଦ ସାଜିଦ ଏସ୍‌କେ ମୁଜାଫର୍ ଈମାମ ଓ ମହମ୍ମଦ ଇକବାଲ୍ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ୬୮ ଜଣ ଶିଶୁ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ କୃତି ତିନି ଶିଶୁଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ତେବେ ଶିଶୁମାନଙ୍କ ମଧ୍ୟରେ ଧର୍ମଗୁରୁ ମହମ୍ମଦଙ୍କ ନୀତି ଆଦର୍ଶ ଯେମିତି ଜାଗ୍ରତ ହେବ, ଶିଶୁମାନେ ପାଠପଢା ସହ ଇସଲାମିକ ଧର୍ମ ସମ୍ବନ୍ଧରେ ସବିଶେଷ କେମିତି ଜାଣି ପାରିବେ ତାକୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବାର ଆୟୋଜକ ଓ ଜଜ୍‌ମାନେ କହିଛନ୍ତି । ସେହିପରି ଆସନ୍ତା ୨୮ ତାରିଖରେ ବଲାଙ୍ଗିରରେ ଅତି ଧୁମ୍‌ଧାମ୍‌ରେ ମହମ୍ମଦ ଜୟନ୍ତୀ ବା ଇଦ୍ ମିଲାଦୁନ ନବି ପାଳନ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.