csstore

ଛତ୍ରପୁର ଉପଖଣ୍ଡ ହସ୍ପିଟାଲର ନବୀକରଣ ପ୍ରକ୍ରିୟାକୁ ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ହସ୍ପିଟାଲର ନବୀକରଣ ପ୍ରକ୍ରିୟାକୁ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ତନଖି ଓ ତଦାରଖ କରିଛନ୍ତି । ଡିସେମ୍ବର ମାସ ଶେଷସୁଦ୍ଧା ଏହି ହସ୍ପିଟାଲର ରୂପରେଖ ବଦଳିଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସମ୍ପ୍ରତି ଏହାକୁ ଜିଲ୍ଲା ହସ୍ପିଟାଲର ମାନ୍ୟତା ମିଳିବ ବୋଲି ଛତ୍ରପୁରବାସୀ ଆଶାବାଦୀ ଅଛନ୍ତି । ଚିକିତ୍ସା କ୍ଷେତ୍ରରେ ସମସ୍ତ ସୁବିଧା ମିଳିବ ବୋଲି ଲୋକେ ବହୁ ବର୍ଷ ଧରି ଦାବୀ କରି ଆସିଛନ୍ତି । ଛତ୍ରପୁର ହସ୍ପିଟାଲକୁ ଜିଲ୍ଲା ହସ୍ପିଟାଲର ମାନ୍ୟତା ଦେବା ସହ ସମସ୍ତ ବିଭାଗରେ ଡାକ୍ତରୀ ପଦବୀ ନିଯୁକ୍ତି ଦେବା ଜରୁରୀ ବୋଲି ବିଭିନ୍ନ ମହଲରେ ଦାବୀ ହୋଇଛି ।

ଛତ୍ରପୁର ଉପଖଣ୍ଡ ହସ୍ପିଟାଲର ନବୀକରଣ ନିମନ୍ତେ କାର୍ଯ୍ୟ ଚାଲିଛି । ଏହି ପ୍ରଗତିମୂଳକ ବ୍ୟବସ୍ଥାପନା ଦିଗରେ ନିର୍ମାଣ ଓ ମରାମତି କାର୍ଯ୍ୟ ଜୋରସୋରରେ ଚାଲିଛି । ସମସ୍ତ ପ୍ରକାର ବନ୍ଦୋବସ୍ତ ସହ ଆଶୁ-ଚିକିତ୍ସା କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଡିଏ ସଚିବ ସମ୍ବିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉମାକାନ୍ତ ମିଶ୍ର, ଜିଲ୍ଲା ସ୍ୱାସ୍ଥ୍ୟ ପ୍ରୋଜେକ୍ଟ ମେନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ଜାତୀୟ ସ୍ଵାସ୍ଥ୍ୟ ମିଶନ ସହକାରୀ ଯନ୍ତ୍ରୀ ଶ୍ରୀମତୀ କୃପାଳିନୀ ଚୌଧୁରୀ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ (ବ୍ରହ୍ମପୁର), ଛତ୍ରପୁର ଉପଖଣ୍ଡ ପୂର୍ତ୍ତ ବିଭାଗ ଅଧିକାରୀ ଇଂ.ଅଶୋକ ବେହେରା, ଛତ୍ରପୁର ପୌର-ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ପ୍ରମୁଖ ବହୁ ପଦାଧିକାରୀଙ୍କ ସହ ଜିଲ୍ଲାପାଳ ଶ୍ରୀ ପରିଡ଼ା ଅନୁସନ୍ଧାନରେ ଆସି ହସ୍ପିଟାଲ ନବୀକରଣ ଦିଗରେ ହେଉଥିବା କାର୍ଯ୍ୟର ତଦାରଖ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ା ଏଠାରେ ଅବସ୍ଥାପିତ ହେବା ପରେ ଛତ୍ରପୁର ହସ୍ପିଟାଲର ନବୀକରଣ ଓ ଡାକ୍ତରୀ ପଦବୀ ପୂରଣ ଏବଂ ବିଭିନ୍ନ ସମସ୍ୟା ଉପରେ ଯଥେଷ୍ଟ ଧ୍ୟାନ ଦେଇ ଆସୁଛନ୍ତି ବୋଲି କୁହାଯାଏ ।

jayashree
Leave A Reply

Your email address will not be published.