ବଲାଙ୍ଗିର, (କେପିଏନ୍ଏସ୍) : ଇନ୍ଦିରା ନଗର ୱାର୍ଡ ନ.୨୦ଠାରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିସର ମଧ୍ୟରେ ସୁଶ୍ରୀ ଗାୟିତ୍ରୀ ଭୋଇ (ଉପ-ନଗରପାଳ, ବଲାଙ୍ଗିର ପୌର ପରିଷଦ)ଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ତତ୍ତ୍ୱାବଧାନରେ ଏକ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଛୋଟ ଶିଶୁମାନଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଇ ନବଜାତ ଶିଶୁଙ୍କ ଠୁଁ ନେଇ ଦଶ ବର୍ଷ ଶିଶୁ ପର୍ଯ୍ୟନ୍ତ ବିଭିନ୍ନ ଶିଶୁ ରୋଗ ଯାଞ୍ଚ ଓ ପରୀକ୍ଷା କରାଯିବାର ସୁବ୍ୟବସ୍ଥା କରାଯାଇଥିଲା ଯେଉଁଠି ୯୫ ଜଣ ବିଭିନ୍ନ ବୟସର ଶିଶୁଙ୍କୁ ବରିଷ୍ଠ ଚିକିତ୍ସକ ଶିଶୁ ବିଶେଷଜ୍ଞ ଡା. ସରୋଜ କୁମାର ତିଆଡ଼ି ପ୍ରତ୍ୟକ୍ଷ ଚିକିତ୍ସା ଓ ପରୀକ୍ଷା କରାଇଥିବା ବେଳେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡା ମନୋରମା ଶତପଥୀ ଅଣ -ସଂକ୍ରମଣ ପ୍ରାୟ ୧୬୦ ରୋଗୀଙ୍କୁ ଚିକିତ୍ସା ତଥା ପରୀକ୍ଷା କରାଇଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବିଭିନ୍ନ ବର୍ଗର ବୟସ୍କ ବ୍ୟକ୍ତି ସମୂହଙ୍କ ପାଇଁ ଅଣ-ସଂକ୍ରମଣ ରୋଗ ଯଥା ରକ୍ତ ଚାପ, ମଧୁମେହ, ମେଦବହୁଳତା ଜୀବନଶୈଳୀର ସଠିକ୍ ପରିଚାଳନା ଇତ୍ୟାଦି ପାଇଁ ପରାମର୍ଶ ଦେଇଥିଲେ । ବଲାଙ୍ଗିର ୨୦ ନ. ୱାର୍ଡ ଓ ସ୍ଥାନୀୟ ଅଞ୍ଚଳରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ଓଜନ, ଉଚ୍ଚତା ରକ୍ତଚାପ, ମଧୁମେହ ଏବଂ ଶରୀରର ସାଧାରଣ ସମସ୍ୟାର ପରୀକ୍ଷା ନିରୀକ୍ଷା କରାଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ନିଜ ଜୀବନଶୈଳୀ ପରିବର୍ତ୍ତନ ଓ ଯୋଗାସନ କରିବା ସମ୍ବନ୍ଧୀୟ ଧାରଣା ଦିଆଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଉପନଗରପାଳ ସୁଶ୍ରୀ ଗାୟିତ୍ରୀ ଭୋଇ, ପିସ ଊନୀସନ ନିର୍ଦ୍ଦେଶକ, ଚେୟାମେନ ସତ୍ୟରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ ଶିବିରର ଆଭିମୁଖ୍ୟ ଓ ଏହାକୁ ଆହୁରି କିଭଳି ବ୍ୟାପକ କରାଯାଇ ପାରିବ ସେ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ । ଇନ୍ଦିରା ନଗର ରାଧାକୃଷ୍ଣ ମନ୍ଦିର ସଦସ୍ୟଗଣ ଏକତା ହିଁ ବଳ ଓ ଏହା ବଶତଃ କୌଣସି ଲୋକସେବା କରିବାରେ କଷ୍ଟ ହେବ ନାହିଁ, ଏହା ଜଣାଇଥିଲେ । ଉକ୍ତ ଅନାସଂକ୍ରମଣ ସ୍ୱାସ୍ଥ୍ୟ ଶିବିରରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ସଭ୍ୟ, ସଭ୍ୟା ସତ୍ୟବ୍ରତ ଷଡ଼ଙ୍ଗୀ, ଶ୍ରୀମତୀ ମାମୀ ସିଂଦେଓ, ରୋଜାଲିନା ହୋତା, ଶ୍ରୀମତୀ ସୂର୍ଯ୍ୟାଶ୍ମି ହୋତା, ରୋନି ବଗର୍ତ୍ତୀ, ଡ଼ା ସୁଦାମ ମେହେର, ମଣି ଭଦ୍ର ପ୍ରଧାନ, ବିପିନ ବିହାରୀ ସେଟ, ଅଞ୍ଜଳି ନାଗ, ଦାଶରଥି ପ୍ରଧାନ ପ୍ରମୁଖ ନିଜ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ସର୍ବଶେଷରେ ଇନ୍ଦିରା ନଗର ରାଧାକୃଷ୍ଣ ସେବା ମନ୍ଦିର ତରଫରୁ ଦିଲୀପ ବଗର୍ତି, ସଞ୍ଜୟ ଶେଖର ଦେଓ, ଦେବାଶିଷ ଲେଙ୍କା, ଓଁକାର ନାୟକ ପ୍ରମୁଖ ସଭ୍ୟଗଣ ଓଡିଶା ସରକାରଙ୍କ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗର, ବଲାଙ୍ଗିରର ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜନ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।