jayashree

କର୍ମଭୂମିରେ ସ୍ୱଭାବ କବି ଗଙ୍ଗାଧରଙ୍କ ୧୬୧ତମ ଜନ୍ମୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକୃତି ଯାହାଙ୍କ କଲମର ମୂଳାଧାର, ସ୍ୱାଭବରେ ଯାହାଙ୍କର ସାହିତ୍ୟ, ରୀତି ସାହିତ୍ୟ ଏବଂ ଆଧୁନିକ ସାହିତ୍ୟ ପାଇଁ ଯିଏ ପାଲଟି ଥିଲେ ଏକ ସୁବର୍ଣ ସେତୁ ବନ୍ଧ । ଯାହାଙ୍କ କଲମ ମୁନରୁ ରଚନା ହୋଇଛି କେତେ ଯେ କାଳଜୟୀ କାବ୍ୟ କବିତା । ଜନ୍ମ ଭୂମି ସହ ନିଜର କର୍ମଭୂମି ଭାବରେ ପଦ୍ମପୁରକୁ ମଧ୍ୟ ସେ କରିଛନ୍ତି ଶୋଭା ମଣ୍ଡିତ । ସେ ହେଉଛନ୍ତି ପ୍ରକୃତି କବି ସ୍ୱଭାବ କବି ୠଙ୍ଗାଧର ମେହେର । ୧୮୬୨ ମସିହା ଶ୍ରାବଣ ପୁର୍ଣ୍ଣିମା ଦିନ ବରପାଲିର ଏକ ଭୂଲିଆ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କବି ଗଙ୍ଗାଧର । ତେବେ ସେହି ତିଥିକୁ ପ୍ରତି ବର୍ଷ ସ୍ୱଭାବ କବିଙ୍କ ଜନ୍ମ ଜୟନ୍ତୀ ଭାବରେ ପାଳନ କରି ଆସିଥାନ୍ତି କବି ସମୁହ ଏବଂ ମେହେର କବି ସ୍ମୃତି ପରିଷଦ । ତେବେ ଏହି ଅବସରରେ ପଦ୍ମପୁର ମେହେର ସମାଜ ତଥା ମେହେର କବି ସ୍ମୃତି ପରିଷଦ ଆନୁକୁଲ୍ୟରେ ମହା ସମାରୋହରେ ଆରମ୍ଭ ହୋଇଛି କବିଙ୍କ ଜୟନ୍ତୀ ପାଳନ ଉତ୍ସବ । ସକାଳୁ କବିଙ୍କର ‘ବିଶ୍ୱ ଦେଖ ମଧୁମୟ’ର ତାଳେ ତାଳେ କବିଙ୍କର ପ୍ରତିଛବି ସହ ଶହ ଶହ ସଂଖ୍ୟାରେ ପୁରୁଷ ଏବଂ ମହିଳା ନଗର ପରିକ୍ରମା ସହ ପହଞ୍ଚିଥିଲେ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ସ୍ଥିତ କବିଙ୍କ ପ୍ରତିମୂର୍ତ୍ତି ପାଖରେ । ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ ସହ କରିଥିଲେ ଓଡିଆ ସାହିତ୍ୟକୁ ନୁତନ ଦିଗ ଦେଇଥିବା ପ୍ରକୃତି କବିଙ୍କର ଆରାଧନା । ଏହା ସହ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କାର୍ୟ୍ୟକ୍ରମ ସହ ସନ୍ଧ୍ୟା ସମୟରେ ସାରସ୍ୱତ ସଭାର ମଧ୍ୟ ଆୟୋଜନ କରାଯାଇଥିବା ସୁଚନା ଦେଇଛନ୍ତି ମେହେର କବି ସ୍ମୃତି ପରିଷଦର ସହ ସମ୍ପାଦକ ଜୟକେତନ ତ୍ରିପାଠୀ । ତେବେ କବିଙ୍କ କାଳଜୟୀ କବିତା ଏବଂ ଅଗାଧ ସାହିତ୍ୟ ସାଧନା ଚିରଦିନ ପାଇଁ ପଢି ପରେ ପିଢ଼ିଙ୍କୁ ଓଡିଆ ଭାଷା ଓ ସଂସ୍କୃତି ପ୍ରତି ଆକୃଷ୍ଟ କରିବ ବୋଲି କହିଛନ୍ତି ଅବସରପ୍ରାପ୍ତ ଓଡ଼ିଆ ବିଭାଗ ଅଧ୍ୟାପକ ତଥା ମେହେର କବି ସ୍ମୃତି ପରିଷଦ ସଭାପତି ଡ. ପ୍ରମୋଦ କୁମାର ପାଢୀ । ତେବେ ସମାଜ ପକ୍ଷରୁ କବିଙ୍କ ସ୍ମୃତି ସଂରକ୍ଷଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ମେହେର ସମାଜ ସଦସ୍ୟ ତଥା ମେହେର କବି ସ୍ମୃତି ପରିଷଦର ସମ୍ପାଦକ ଶେଷଦେବ ମେହେର । ତେବେ ଏହି କାର୍ୟ୍ୟକ୍ରମରେ ମେହେର ସମାଜର ସମସ୍ତ ସଦସ୍ୟଙ୍କ ସହ ମେହେର କବି ସ୍ମୃତି ପରିଷଦ ତଥା ପଦ୍ମପୁରର ସମସ୍ତ ଜନ ସାଧାରଣ ସହଯୋଗ କରିଥିଲେ ।

Leave A Reply

Your email address will not be published.