jayashree

ବିଇଡି କଲେଜରେ ଜାତୀୟ କ୍ରୀଡା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ହକି ତାରକା ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ପାଳନ ଅବସରରେ ସ୍ଥାନୀୟ ବିଇଡି କଲେଜରେ ଅଧ୍ୟକ୍ଷ ଅନନ୍ତ କୁମାର ନାଏକଙ୍କ ସଭାପତିତ୍ୱରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ହେବାକୁ ଟ୍ରେନିଂ ନେବା ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଓ ସର୍ବବିଧ ଉନ୍ନତି ସକାଶେ ଏହି ସଭାଟି ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ମନରେ କ୍ରୀଡାର ଉପାଦେୟତା, ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ କ୍ରୀଡାର ଗୁରୁତ୍ଵ ଓ ଏହି କ୍ଷେତ୍ରରେ ଭାରତର ସଫଳତା ଓ ସମ୍ଭାବନାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ନିମନ୍ତ୍ରିତ ବକ୍ତା ଓ ଅତିଥିଗଣ ମତପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ମାଟିର ସୁପୁତ୍ରୀ, ଜାତୀୟ କ୍ରୀଡା କ୍ଷେତ୍ରରେ ନାଁ କରିଥିବା ସମର୍ଥ ଧାବିକା ଆନନ୍ଦିନୀ ଦର୍ଜୀ ଓ ବିଶିଷ୍ଟ ହକି ଖେଳାଳୀ ପ୍ରଫୁଲ୍ଲ କୁମାର ବେହେରା ଉପସ୍ଥିତ ରହି ନିଜର ଅନୁଭୂତି ବାଣ୍ଟିବା ସହ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି କ୍ରୀଡାବିତ୍ ଆନନ୍ଦିନୀ ଦର୍ଜୀ ନିଜ ଅଭିଭାଷଣରେ କହିଥିଲେ ଯେ, କ୍ରୀଡା ମଣିଷକୁ ଉନ୍ନତ ସ୍ତରକୁ ନିଏ, ଆଦର ଓ ସମ୍ମାନ ଦିଏ ପୁଣି ଶୃଙ୍ଖଳା ଶିଖାଏ । ଅନ୍ୟତମ ସମ୍ମାନିତ ଅତିଥି ପ୍ରଫୁଲ୍ଲ କୁମାର ବେହେରା ହକି ଖେଳରେ ଉପାଦେୟତା ଓ ଜାତୀୟ କ୍ରୀଡା କ୍ଷେତ୍ରରେ ଏହାର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଲଳିତ କୁମାର ପାତ୍ର, ଡ. ସଂଜୀବ କୁମାର ତ୍ରିପାଠୀ, ଡ. ଅଜିତ କୁମାର ପ୍ରଧାନ, ଡ. ଶୁଭଶ୍ରୀ ବିଶ୍ଵାଳ, ଜିତେନ୍ଦ୍ରିୟ ତ୍ରିପାଠୀ, ସସ୍ମିତା ବେହେରା, ସତ୍ୟଜିତ ଆପତ୍, ଭାସ୍କର ମାଝୀ ଓ କ୍ରୀଡା ଶିକ୍ଷକ ମନୋରଞ୍ଜନ ମହାପାତ୍ର ଦାୟିତ୍ଵ ନିର୍ବାହ କରିଥିଲେ ।

Leave A Reply

Your email address will not be published.