ହାଇୱା ଗାଡ଼ି ଚଢାଇ ଦୁଇ କିନ୍ନରଙ୍କୁ ହତ୍ୟା କରି ଚାଳକ ଫେରାର

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ୧୪୩ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ ନିକଟରେ ଗତକାଲି ଭୋର ସକାଳ ସମୟରେ ଏକ ହାଇୱା ଗୋଡ଼ାଇ ଗୋଡ଼ାଇ ପଛରୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇ କିନ୍ନରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ, କିନ୍ନର ରଥ କିଷାନ(ସୁଇଟି)ଙ୍କ ସହ ପବନ ନାମକ ଜଣେ ଟ୍ରକ ଡ୍ରାଇଭରଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ କୌଣସି କାରଣରୁ ପ୍ରାୟ ରାତି ୧୦ ବେଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ତାକୁ ଜୀବନରେ ମାରିଦେବାକୁ ଧମକ ଦେିଥିଲା ପବନ । ଫଳରେ ଭୟରେ ସୁଇଟି ନିଜ ଘରକୁ ଚାଲି ଯାଇଥିଲେ । ଏନେଇ ସୁଇଟି ତାଙ୍କ ବନ୍ଧୁମାନଙ୍କୁ ଜଣାଇଥିଲେ । କିନ୍ତୁ ରାତିରେ ରଥ କିଷାନ, ରାଜା ପାତ୍ର ଓ ଉମାଶାଙ୍କର ନାଏକ ତିନିଜଣ ପ୍ରତ୍ୟେକ ଦିନ ଭଳି ଗତକାଲି ରାତ୍ରିରେ ବାହାରକୁ ବାହାରି ଥିଲେ । କିନ୍ତୁ ଯେଉଁଆଡ଼େ ରଥ କିଷାନ ଯାଉଥିଲେ ପବନ ଟ୍ରକ ସହ ସେଇଠାକୁ ପହଞ୍ଚି ଯାଉଥିଲା । ଭୋର ହେଉଥିବା ବେଳେ ରଜାମୁଣ୍ଡା ବାଇପାସ ନିକଟରେ ଗୋଟିଏ ସ୍କୁଟି ଓଡି୧୪ୱାଇ୭୫୪୮ରେ ଘରକୁ ଫେରୁଥିବା ବେଳେ ହାଇୱା ନମ୍ବର ଓଡି୧୪ ଟି ୩୦୨୫ ତାଙ୍କୁ ଦୃତ ଗତିରେ ଅନୁସରଣ କରୁଥିବା ବେଳେ ରଥ କିଷାନ ପବନ ଆସୁଛି ଆମକୁ ମାରିଦେବ ଜାଣିପାରି ଏନେଇ ସେମାନେ ବିପରୀତ ପାର୍ଶ୍ୱ ରାସ୍ତାକୁ ପଳାଇଥିଲେ କିନ୍ତୁ ହାଇୱା ମଧ୍ୟ ସେପଟୁ ଯାଇଥିଲା । ସ୍କୁଟି ପଛରେ ଉମାଶାଙ୍କର ବସିଥିଲେ ସେ ନିଜକୁ ବଞ୍ଚାଇବା ପାଇଁ କୌଣସି ପ୍ରକାରେ ଡେଇଁ ପଡିଥିଲେ ମଧ୍ୟ ହାଇୱାଟି ଅନ୍ୟ ଦୁଇ ଜଣଙ୍କୁ ପଛରୁ ଜୋରରେ ଧକ୍କା ଦେଇଥିଲା ଯାହା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍କୁଟିଟି ହାଇୱା ଝରକାରେ ଝୁଲି ହୋଇ ରହିଥିଲା । ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇ ଥିବା ଜଣାପଡିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଉକ୍ତ ହାଇୱା ଗାଡ଼ିର ଇନ୍ସୁରାନ୍ସ ନଥିବା ଜଣାପଡ଼ିଛି । ତେବେ ଏହା ଯୋଜନା ମୁତାବକ ହତ୍ୟା ହୋଇଛି ବୋଲି ଅଭିଯୋଗ ହୋଇଛି । ମୃତକମାନଙ୍କୁ ପାଖକୁ ତାଙ୍କର ସଂଘ ପକ୍ଷରୁ ଅନ୍ୟ ସଦସ୍ୟ ଓ ସମ୍ପାଦକ ଆସିଥିବା ଜଣାପଡ଼ିଛି । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗାଡି ଦ୍ୱୟକୁ ଜବତ କରି ଏହାର ତଦନ୍ତ ଚଳାଇଥିବା ଜଣାପଡିଛି । ଦୋଷୀକୁ ଦଣ୍ଡ ମିଳୁ ବୋଲି କିନ୍ନର ସଙ୍ଘ ଦାବୀ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.