ଉପଜିଲ୍ଲାପାଳଙ୍କ ନିଲଜିପତରାର ମଧ୍ୟମ ଜଳସେଚନ ପ୍ରକଳ୍ପ ନିରୀକ୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲଉଡିର୍ଦାହା ପଞ୍ଚାୟତର ନିଲଜିପତରା ଗ୍ରାମବାସୀ ତାଙ୍କ ଗ୍ରାମରେ ଥିବା ମଧ୍ୟମ ଜଳସେଚନ ପ୍ରକଳ୍ପ ‘ଘାଟି’ରୁ ସଞ୍ଚିତ ବର୍ଷାଜଳ ଚାଲି ଯାଉଥିବା ଯୋଗୁଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ଆଣିଥିଲେ । ଆଡିବନ୍ଧର ସଟର୍‌ରେ ଫାଟ ଯୋଗୁଁ ସଞ୍ଚିତ ବର୍ଷାଜଳ ଚାଲିଯାଉଥିବାରୁ ଆବଶ୍ୟକତା ସମୟରେ ଆଉ ଚାଷଜମିକୁ ପାଣି ଲାଗିପାରିବ ନାହିଁ ବୋଲି ଆଶଂକା କରି ସେମାନେ ବହୁଥର ଜଳସେଚନ ବିଭାଗକୁ କହିଛନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ସମସ୍ୟାର ସମାଧାନ ହୋଇନାହିଁ ଓ ଆଜି ମଧ୍ୟ ମୂଲ୍ୟବାନ ଜଳ ନଷ୍ଟ ହୋଇଚାଲିଛି ବୋଲି ସେମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ମନିଷା ବାନାର୍ଜୀ ପଦ୍ମପୁର ଉପଜିଲ୍ଲାପାଳଙ୍କ ଘଟଣାସ୍ଥଳକୁ ଯାଇ ନିରୀକ୍ଷଣ କରିବାକୁ କହିଥିଲେ । ଉପଜିଲ୍ଲାପାଳ ସଦାକର କୁମ୍ଭାର ଓ ଝାରବନ୍ଧ ତହସିଲଦାର ସୀତାରାମ ଭୋଇ ନିଲଜିପତରା ଗ୍ରାମରେ ଥିବା ମଧ୍ୟମ ଜଳସେଚନ ପ୍ରକଳ୍ପ ସ୍ଥଳକୁ ଯାଇ ସେଠାରେ ଜଳସେଚନ ବିଭାଗ ଏସ୍‌ଡିଓ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରକଳ୍ପର ସମସ୍ତ ଭାଗର ସମୀକ୍ଷା କରି ଉପଜିଲ୍ଲାପାଳ ଶ୍ରୀ କୁମ୍ଭାର ତୁରନ୍ତ ସଟର୍‌ର ଫାଟ ମରାମତି ପାଇଁ ଏସ୍‌ଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଭବିଷ୍ୟତରେ ଯେପରି ଏଭଳି ସମସ୍ୟା ନ ଉପୁଜେ ସେଥିପ୍ରତି ଗୁରୁତ୍ୱ ଦେବାକୁ ଶ୍ରୀ କୁମ୍ଭାର କହିଛନ୍ତି ।

Leave A Reply

Your email address will not be published.