ଦେବାଳୟ ସୁରକ୍ଷା କମିଟି ସହ ଆଲୋଚନା କଲା ପ୍ରଶାସନ

  • ମା’ ପାଟଣେଶ୍ୱରୀ ଓ ସମଲେଶ୍ଵରୀଙ୍କ ବିଗ୍ରହକୁ ନ ଛୁଇଁ ହେବ ନବୀକରଣ କାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଐତିହାସିକ ସହର ପାଟଣା ରାଜ୍ୟ ସମୟର ଇଷ୍ଟ ଦେବୀ ମା’ ପାଟଣେଶ୍ୱରୀ ମା’ ସମଲେଶ୍ଵରୀ ମନ୍ଦିର ଓ ଗୋପାଳଜୀ ମନ୍ଦିର ବିଭିନ୍ନ ସମୟରେ ବେଶ୍ ଚର୍ଚ୍ଚିତ ରହୁଥିଲା । ମନ୍ଦିର ପୁନଃଉଦ୍ଧାର ପାଇଁ ବିଭିନ୍ନ ସମୟରେ ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ ନୀରବ ରହୁଥିଲା । ଦୀର୍ଘଦିନ ହେବ ମା’ ପାଟଣେଶ୍ୱରୀ ମନ୍ଦିର ବର୍ଷା ପାଣି ଓ ନାଳ ପାଣି ପ୍ରବେଶ ଯୋଗୁଁ ମା’ଜଳରେ ଉବୁଟୁବୁ ହେଉଥିବା ବେଳେ ମା’ଙ୍କ ରୋଷଶାଳା, ଗର୍ଭ ଗୃହରେ ଫାଟ ସୃଷ୍ଟି ହେଉଥିବା ବେଳେ ମା’ ସମଲେଶ୍ଵରୀ ଦେବୀଙ୍କ ମନ୍ଦିର ୨୦୨୧ରେ ଛାତ ଭୁଷୁଡିବା ଯୋଗୁ ଭକ୍ତଙ୍କ ଭାବାବେଗରେ ଆଘାତ ହୋଇଥିଲା । ସେହିପରି ଗୋପାଳଜୀ ମନ୍ଦିର ଦେବୋତ୍ତର କାର୍ଯ୍ୟାଳୟ ପରିସରରେ ଥିଲେ ମଧ୍ୟ ମନ୍ଦିର ଗମ୍ବୁଜରେ ଫାଟ ସୃଷ୍ଟି ହେବା ସହ ବର୍ଷା ଜଳ ମନ୍ଦିର ମଧ୍ୟରେ ପ୍ରବେଶ ହେଉଥିଲା ତଥା ପୂଜକଙ୍କ ଘର ମଧ୍ୟ ଭୁଶୁଡ଼ି ପଡ଼ିଛି । ଏନେଇ ବଲାଙ୍ଗିର ସହରର ବିଭିନ୍ନ ଅନୁଷ୍ଠାନକୁ ନେଇ ଦେବାଳୟ ସୁରକ୍ଷା କମିଟି ଗଢ଼ା ହୋଇ ବାରମ୍ବାର ମନ୍ଦିରମାନଙ୍କ ସୁରକ୍ଷା ଦାବୀ କରିଆସୁଥିଲେ । ଗତ ୬ ତାରିଖ ଦିନ ୫ଟି ସଚିବ ଭି କେ ପାଣ୍ଡିଆନ୍ ବଲାଙ୍ଗିର ଗସ୍ତ କରିଥିବା ସମୟରେ ଦେବାଳୟ ସୁରକ୍ଷା କମିଟି ଦାବୀପତ୍ର ପ୍ରଦାନ କରିଥିବା ବେଳେ ଏ ବିଷୟକୁ ନେଇ ବଲାଙ୍ଗିର ଜିଲ୍ଲାପାଳ ଏକ ସ୍ଵତନ୍ତ୍ର ଟିମ୍ ଗଢ଼ି ମନ୍ଦିରମାନଙ୍କର ସର୍ଭେ ଓ ଡିପିଆର୍ ପ୍ରସ୍ତୁତି ପାଇଁ ଆଦେଶ ଦେଇଥିଲେ । ତେବେ ଗତ ଦୁଇ ଦିନ ବୁଧବାର ଓ ଗୁରୁବାର ଦିନ ଉପଜିଲ୍ଲାପାଳ ଓ ପୂର୍ତ୍ତବିଭାଗ କାର୍ଯ୍ୟାଳୟରେ ମନ୍ଦିର ଉନ୍ନତିକରଣ ବାବଦରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବଲାଙ୍ଗିର ଉପଜିଲ୍ଲାପାଳ ତଥା ଦେବୋତ୍ତର ମୁଖ୍ୟ ନିର୍ବାହୀ ଅଧିକାରୀ କୁମାର ନାଗ ଭୂଷଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ଘଡ଼େଇ, ଦେବୋତ୍ତର ପରିଚାଳକ ସୁଧୀର କୁମାର ଦାଶ, ପାଟଣେଶ୍ୱରୀ ମନ୍ଦିର ମୁଖ୍ୟ ସେବାୟତ ମଳୟ କୁମାର ଦିଶ୍ରୀ, ଅବିନାଶ ଦିଶ୍ରୀ, ସମଲେଶ୍ୱରୀ ମନ୍ଦିର ସେବାୟତ ଅକ୍ଷୟ ଦିଶ୍ରୀ, ମନ୍ଦିର ଆରତୀ କମିଟିର ବିକାଶ ସା, ଗୋପାଳଜୀ ମନ୍ଦିର କର୍ମକର୍ତ୍ତା ନୀଳମଣି ମିଶ୍ର, ଦେବାଳୟ ସୁରକ୍ଷା କମିଟି ଆବାହକ ପ୍ରଶାନ୍ତ ମହାକୁଡ଼, ମଧୁସୂଦନ ନାୟକ, ବରିଷ୍ଠ ନାଗରିକ ସଂଘର ସୁରେନ୍ଦ୍ର ନେଗୀ, ସୁଦର୍ଶନ ସାହୁ ଓ ବୁଲୁ ବେହେରା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.