ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ସ୍ଥାନୀୟ ଟିଟିଲାଗଡ଼ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଭାପତି ଜ୍ୟୋତି ପ୍ରକାଶ ଗଡତ୍ୟା ଯୋଗ ଦେଇ ଏହି ଜ୍ଞାନ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଡମ୍ବରୁଧର କର୍ମୀ, ଯୁଗ୍ମ ସମ୍ପାଦକ ମାନସ ରଂଜନ ସେଠ୍, ସଦସ୍ୟା ଶ୍ରୀମତୀ ଝୁମିରାଣୀ ମିଶ୍ର ଓ ଶ୍ରୀମତୀ ଅହଲ୍ୟା ନାଗ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ଆଚାର୍ଯ୍ୟ ଯୁଧିଷ୍ଠିର ପାଢ଼ୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଏହି ଜ୍ଞାନ ବିଜ୍ଞାନ ମେଳାରେ ଅନୁଷ୍ଠାନର ୩୯୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବରେ ସ୍ଥାନୀୟ ଅଞ୍ଚଳର ବିଜ୍ଞାନ ଶିକ୍ଷକ ବ୍ରହ୍ମାନନ୍ଦ ପୁହାଣ, ଅଭିମନ୍ୟୁ ସାହୁ, ସନ୍ତୋଷ ମେହେର, ଗିରିଜା ଶଙ୍କର ବିଶି, ତପନେଶ୍ୱର ଠାକୁର ଓ ଇନ୍ଦ୍ରମଣି ନାଗ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ଗଣିତ ଓ ବିଜ୍ଞାନ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଅନୁଷ୍ଠିତ ସମାରୋହ ଉତ୍ସବରେ ସ୍ଥାନୀୟ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୀର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନର ଆବଶ୍ୟକତା ଓ ତାହାର ବିଶେଷତ୍ତ୍ବ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଂସ୍କୃତ ଆଚାର୍ଯ୍ୟ ପଙ୍କଜ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟା ମନ୍ଦିର ବିଭାଗର ଶୈକ୍ଷିକ ପ୍ରମୁଖା ସୁଶ୍ରୀ ରଞ୍ଜିତା ମିଶ୍ର ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ତଥା ମଧ୍ୟ ସ୍ତରର ଶୈକ୍ଷିକ ପ୍ରମୁଖ କୈଳାସ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ବିବରଣୀ ପଠନ କରିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ତଥା ଉପସ୍ଥିତ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଉପସ୍ଥିତ ଅତିଥି ଅଧିକାରୀ ଏବଂ ସମସ୍ତ ବିଜ୍ଞାନ ଶିକ୍ଷକମାନଙ୍କୁ ଶିଶୁ ବାଟିକା ପ୍ରମୁଖ ଆଚାର୍ଯ୍ୟା ସଂଯୁକ୍ତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ ଆଚାର୍ଯ୍ୟା ସୁଶ୍ରୀ ପବ୍ଲିନା, ଶ୍ରୀମତୀ ଉଷାରାଣୀ ବିଶ୍ଵାଳ, ମଦନମୋହନ ପୁଟେଲ ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ସେବକ ସେବିକାଙ୍କ ତଥା ବାଳ ଭାରତୀ ଓ କନ୍ୟା ଭାରତୀର ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା ।