- ବିସ୍ଥାପନ ଶେଷ ପର୍ଯ୍ୟାୟରେ ଗଡଶଙ୍କର ଡୁଙ୍ଗୁରିପାଲିରେ ପହଞ୍ଚିଲେ ନରସିଂହ
- ଥଇଥାନ କଲୋନୀର ଅସ୍ଥାୟୀ ଆଶ୍ରୟ ସ୍ଥଳି କଲେ ପରିଦର୍ଶନ
- ଆଇନସଙ୍ଗତ ସମସ୍ତ ଅସୁବିଧା ନିଶ୍ଚିତ ଦୂର ହେବ : ନରସିଂହ
- ପାଣି ବଢ଼ୁଥିବାରୁ ଥଇଥାନ କଲୋନୀକୁ ଶୀଘ୍ର ଯାଆନ୍ତୁ ଲୋକେ : ନରସିଂହ
- ଆସନ୍ତାକାଲି ବିସ୍ଥାପିତଙ୍କ ସମସ୍ୟା ନେଇ ପ୍ରଶାସନ ସହ ହେବ ଆଲୋଚନା : ନରସିଂହ
ବଲାଙ୍ଗିର, (ଦେବାଶଷ ମିଶ୍ର) : ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପ ବିସ୍ଥାପନ ଶେଷ ପର୍ଯ୍ୟାୟରେ । ଖବର ପାଇଲି ଯେ, ପ୍ରକଳ୍ପ ଚାରିଆଡୁ ପାଣି ମାଡିଯାଉଥିଲେ ହେଁ ଆଜିବି ଗଡଶଙ୍କର ଡୁଙ୍ଗୁରିପାଲି ଗାଁରେ ୮୦ରୁ ୧୦୦ ପରିବାର ସମ୍ପୂର୍ଣ୍ଣ ଭାବେ ଗାଁ ଛାଡି ନାହାନ୍ତି । ଜୀବନ ଚାଲିଯିବାର ଭୟ ଥିବା ସତ୍ତ୍ୱେ ଏମାନେ ବିସ୍ଥାପିତ ନହେବା ଏକ ଜନପ୍ରତିନିଧି ଭାବେ ମୋ ମନକୁ ଆନ୍ଦୋଳିତ କରିଥିଲା । ତେଣୁ ଜଣେ ଜନପ୍ରତିନିଧି ହିସାବରେ ଏମାନଙ୍କ ସୁଖଦୁଃଖରେ ସାମିଲ ହେବା ପାଇଁ ମୁଁ ଆଜି ଗଡଶଙ୍କର ଡୁଙ୍ଗୁରିପାଲିକୁ ଆସିଛି । ଲୋକଙ୍କର ପ୍ରତ୍ୟେକ କଥା ଶୁଣିବା ପରେ ଯେତେବି ଆଇନସଙ୍ଗତ ଅସୁବିଧା ଅଛି ତାର ନିଶ୍ଚିତ ପ୍ରତିକାର କରାଯିବ । ତା ସହ ଏଇ ପ୍ରକଳ୍ପ ପ୍ରଭାବିତଙ୍କୁ ମୋର ଅନୁରୋଧ ସେମାନେ ନିଜ ଜୀବନର ଗୁରୁତ୍ୱ ବୁଝି ଏ ଅଞ୍ଚଳରୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଥଇଥାନ କଲୋନୀକୁ ଶୀଘ୍ର ଯାଆନ୍ତୁ । ତାଙ୍କର ଯାହାବି ଅସୁବିଧା ଅଛି ମୌଖିକ ହେଉ କି ଲିଖିତ ତାଙ୍କୁ ଜଣାଇଲେ ଆସନ୍ତାକାଲି ବିଧାନସଭା ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ତାର ନିରାକରଣ ରାସ୍ତା ସୁନିଶ୍ଚିତ କରାଯିବ ବୋଲି ଆଜି ଗଡଶଙ୍କର ଡୁଙ୍ଗୁରିପାଲି ଗସ୍ତ ସମୟରେ ଲୋକଙ୍କ ସହ ଆଲୋଚନା ବେଳେ ନିଜ ପ୍ରତିକ୍ରିୟାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି ।
ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଇ ପ୍ରକଳ୍ପ ନିର୍ମାଣ ପାଇଁ ସେ ନିଜେ ୨୦୦୫ ମସିହାରେ ସ୍ପିଲୱେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ସମୟରେ ଏହି ଗାଁରୁ ହିଁ ଏଇ ପ୍ରକଳ୍ପ ବିରୁଦ୍ଧରେ ପ୍ରବଳ ପ୍ରତିରୋଧ କରାଯାଇଥିଲା । କିନ୍ତୁ ପରେ ପରେ ଗାଁ ଲୋକ ବୁଝିଯାଇଛନ୍ତି ତେଣୁ ଏମାନଙ୍କ ଉଚିତ୍ ଥଇଥାନ ସହ ସସମ୍ମାନ ବିସ୍ଥାପନ ଯେପରି ହୋଇପାରିବ ସେଦିଗରେ ସରକାର, ପ୍ରଶାସନ, ଜନପ୍ରତିନିଧି ତଥା ସାମାଜିକ କର୍ମୀମାନେ ସମସ୍ତେ ଏକ ଚିତ୍ତରେ କାମ କରିବା ଦରକାର । ଲୋକଙ୍କ ଠାରୁ କ୍ଷତିପୂରଣ ଏବଂ ଥଇଥାନକୁ ନେଇ ଅନେକ ପ୍ରକାର ଅଭିଯୋଗ ଆସୁଛି । କିନ୍ତୁ ଲୋକେ ଯଦି ସେସବୁ ସମାଧାନ ପରେ ଯାଇ ଗାଁ ଛାଡିବେ ବୋଲି ଜିଦ୍ କରିବେ ଏହା ତାଙ୍କର ଭୁଲ ନିଷ୍ପତ୍ତି ହୋଇପାରେ । ଏଣୁ ସେମାନେ ପ୍ରଥମେ ଜୀବନ ବଞ୍ଚାଇବା ପାଇଁ ନିରାପଦ ସ୍ଥାନକୁ ଚାଲିଯିବା ଦରକାର । ସେମାନଙ୍କ ଦାବୀ ଯଦି ଆଇନ ସଙ୍ଗତ ତେବେ ସେମାନଙ୍କୁ କ୍ଷତିପୂରଣ ପାଇବାରୁ କେହି ବଞ୍ଚିତ କରିପାରିବେ ନାହିଁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଆଜି ବିଧାୟକ ଶ୍ରୀ ମିଶ୍ର ଗଡଶଙ୍କର ଡୁଙ୍ଗୁରିପାଲି ଗାଁରେ ପହଞ୍ଚି ବିସ୍ଥାପିତ ହୋଇନଥିବା ଲୋକଙ୍କ ସହ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଆଲୋଚନା କରିଥିଲେ । ଗାଁ ଲୋକେ ଥଇଥାନ କଲୋନୀରେ ଘର ତିଆରି ହୋଇନଥିବା ବେଳେ ଗାଁରେ ଘର ଭାଙ୍ଗି ଦେଇଥିବାରୁ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କହିଥିଲେ । ପ୍ରଶାସନ ପକ୍ଷରୁ ରାତିରେ ଡ୍ୟାମ୍ ପାଣିକୁ ଛଡା ଯାଉନଥିବାରୁ ଗାଁ ଚାରିଆଡେ ପାଣି ମାଡି ଆସିଲାଣି ବୋଲି ଅଭିଯୋଗ କରିଥିଲେ । ଡ୍ୟାମ୍ ପାଣି ଛାଡି ଦେବାକୁ ଅନୁରୋଧ କରିଥିଲେ । କିଛି ଲୋକ ଏବେବି ଗାଁକୁ ଆସି ସେମାନଙ୍କ ବିଭିନ୍ନ ସାମଗ୍ରୀ ନେବାକୁ ଚାହୁଁଥିଲେ ମଧ୍ୟ ପୋଲିସ ସେମାନଙ୍କୁ ବାରଣ କରୁଛି । ଏଭଳିକି ସମ୍ପର୍କୀୟ ମାନେ ଗାଁକୁ ଆସିଲେ ପୋଲିସ ସେମାନଙ୍କୁ ଅଟକାଇ ଫେରାଇ ଦେଉଛି ବୋଲି ଅଭିଯୋଗ କରିଥିଲେ । କ୍ଷତିପୂରଣ ପାଇନଥିବା ଲୋକେ କିଭଳି କ୍ଷତିପୂରଣ ପାଇବେ ଏବଂ ଥଇଥାନ କଲୋନୀରେ କିଭଳି ଭଲ ଘର ତିଆରି ହେବ ସେନେଇ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । ଆଜିର ଆଲୋଚନାରେ ଲୋୟର ସୁକ୍ତେଲ ବୁଡି ଅଞ୍ଚଳର ନେତା ଘୁନୁ ସାହୁ, ମୀନକେତେନ ଚାନ୍ଦ, ବିବେକାନନ୍ଦ ସାହୁ ଓ ଅନ୍ୟମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ଫେରି ଝାଙ୍କରପାଲି ସ୍ଥିତ ବିସ୍ଥାପିତ ଥଇଥାନ କଲୋନୀ ପରିଦର୍ଶନ କରିଥିଲେ । ସେଠାରେ ଲୋକଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିସ୍ଥାପିତଙ୍କୁ ପଙ୍ଖା ବଣ୍ଟନ କରିଥିଲେ । ବୁଧବାର ହେବାକୁ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ବୈଠକରେ ଲୋୟର ସୁକ୍ତେଲ ପ୍ରକଳ୍ପ ଓ ବିସ୍ଥାପିତଙ୍କ ଉପରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଥିଲେ ।