jayashree

କାଳ ହେଲା ବାଲ ବିକାଶ କାର୍ଯ୍ୟକ୍ରମ : ସ୍କୁଲ ପରିସର ଗଛରୁ ପଡ଼ି ନବମ ଶ୍ରେଣୀ ଛାତ୍ର ମୃତ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ପ୍ରାୟ ୩ଟା ବେଳେ ସାଇ ସଂଗଠନ ପକ୍ଷରୁ ଚାଲିଥିବା ବାଲ ବିକାଶ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ସ୍କୁଲ ପରିସରରେ ଥିବା କଦମ୍ବ ଗଛରୁ ପଡି ଜଣେ ଛାତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି । ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଗାଈବାହାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ସୀତାରାମ ସେଠ(୧୪)ଙ୍କ ଅକାଳ ବିୟୋଗ ଘଟିଛି । ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ସ୍କୁଲ ପରିସରରେ ସାଇ ସେବା ସଂସ୍ଥାର ଚନ୍ଦ୍ରପୁର ଗାଁର ଶିକ୍ଷକ ରାଜୁ ପୁଟେଲ ବାଲ ବିକାଶ କାର୍ଯ୍ୟକ୍ରମ କରୁଥିଲେ । ସେହି ସମୟରେ ବାଲ ବିକାଶ କାର୍ଯ୍ୟକ୍ରମକୁ ଯାଇଥିବା ସୀତାରାମ ସେଠ ସ୍କୁଲ ପରିସରରେ ଥିବା ଏକ କଦମ୍ବ ଗଛରୁ ପଡି ଦୁଃର୍ଘଟଣାର ଶିକାର ହୋଇଥିଲେ । ଏହି ବିଷୟରେ ଶ୍ରୀ ପୁଟେଲଙ୍କୁ ପଚାରିବାରୁ କାର୍ଯ୍ୟକ୍ରମ ଚାଲିଥିଲା କେତେ ବେଳେ ସେହି ପିଲା ସେଠାକୁ ଗଲା ଆମେ ଜାଣିନାହିିଁ ବୋଲି କହିଛନ୍ତି । ଏହି ଘଟଣା ବିଷୟରେ ପରିବାର ଲୋକେ ଜାଣିବା ପରେ ପ୍ରଥମେ ବଲାଙ୍ଗିର ଓ ପରେ ବୁର୍ଲା ଡାକ୍ତରଖାନାକୁ ନେଉଥିଲେ ହେଲେ ବାଟରେ ଛାତ୍ର ଜଣକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବର୍ତ୍ତମାନ ଗାଁ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ରବିବାର ଦିନ ବେଆଇନ ଭାବେ ସ୍କୁଲ ତାଲା ଖୋଲିବା ପାଇଁ କିଏ ଅନୁମତି ଦେଲା ? ଛାତ୍ର ମୃତ୍ୟୁ ପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି । ସୋମବାର ଦିନ ୧୧ଟା ସମୟରେ ଗାଈବାହାଲକୁ ଶବ ପହଞ୍ଚିବା ପରେ ଗାଈବାହାଲରେ ଶୋକର ଛାୟା ଖେଳିଯାଇଛି । ସେହିପରି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମର ଶରୀରକୁ ଗାଁ ମଶାଣିରେ ଶେଷକୃତ୍ୟ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.