ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବିଭାଗର ବେପରୁଆ କାର୍ଯ୍ୟ : ନିମ୍ନମାନର କାର୍ଯ୍ୟ ଯୋଗୁଁ ବର୍ଷାରେ ଭାଙ୍ଗିଗଲା ଗାର୍ଡୱାଲ, ଦୁଇ ଗାଁ ଲୋକଙ୍କ ପାଇଁ ପୋଲ ସାଜିଛି ବିପଦ, ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ

ସଇଁତଲା, (ପ୍ରମୋଦ କୁମାର ସେଲମା) : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ରାସ୍ତା ଘାଟର ବିକାଶ ପାଇଁ କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରୁଥିବା ବେଳେ ଏହାର ସଫଳ ରୂପାୟନ ହୋଇପାରୁନାହିଁ । ଏବେ ବି ଏମିତି ଅନେକ ଗାଁ ଅଛି ଯେଉଁଠିକୁ କି ଲୋକେ ଯିବା ଆସିବା ବିଛିନ୍ନ ହୋଇପଡିଛି । ଏହାର ଜ୍ଜଳନ୍ତ ଉଦାହରଣ ରହିଛି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବୁଢ଼ାବାହାଲ ପଞ୍ଚାୟତ ସ୍ଥିତ ଲିଆକାନୀ ଗ୍ରାମରେ । ପ୍ରକାଶ ଯେ, ଏହି ଲିଆକାନୀ ଓ ବାବୁକେଲଗାଁ ରାସ୍ତା ମଝିରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିଲା । ଏହି ଗାଁ ପାଇଁ ଏକ ପୋଲ ଆବଶ୍ୟକ ହୋଇଥିଲା । କିନ୍ତୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବିଭାଗ ଦ୍ୱାରା ଟେଣ୍ଡର ହୋଇ ଠିକାଦାର କାମ ଆରମ୍ଭ କରି ପୋଲ ନିର୍ମାଣ କରି ଦୁଇ ପାର୍ଶ୍ୱରେ ଗାର୍ଡ ୱେଲ ମଧ୍ୟ ନିର୍ମାଣ କାର୍ଯ୍ୟ ସରିଯାଇ ପୋଲ ଉପରେ ପିଚୁ କିମ୍ବା କଂକ୍ରିଟ କାର୍ଯ୍ୟ ବାକି ରହିଥିଲା । ଚଳିତ ଲଘୁଚାପଜନିତ ବର୍ଷା ହେବା ଦ୍ୱାରା ରାସ୍ତା ଧୋଇ ଯିବା ସହ ପୋଲର ଦୁଇ ପାର୍ଶ୍ୱରେ ଥିବା ଗୋଟିଏ ଗାର୍ଡ ୱାଲ ଭାଙ୍ଗି ଚୁରମାର ହୋଇଯାଇଛି । ଅନ୍ୟ ଗାର୍ଡୱାଲଟି ମଧ୍ୟ କେତେ ବେଳେ ବି ଭାଙ୍ଗିଯିବ ଓ ମାଟି ଧୋଇ ଯାଇ ଫାଟି ଆଁ କରିଛି । ବର୍ତମାନ ଲୋକେ ଏହି ରାସ୍ତା ଦେଇ ଯିବା ଆସିବାରେ ବାଧା ସୃଷ୍ଟି କଲାଣି । ଏଥିରେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପୋଲ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ଗାର୍ଡ ୱାଲ ଭାଙ୍ଗି ଚୁର୍‌ମାର୍‌ ହୋଇଥିବା ଅନିୟମିତତା ଘଟଣା ସାମ୍ନାକୁ ଆସିଛି । ଏହି ପୋଲ ନିର୍ମାଣ ପାଇଁ କେତେ ଟଙ୍କା ଆସିଛି, ନିର୍ମାଣ କାମ କେବେ ସରିବ ତାହାର କୌଣସି ସୂଚନା ଫଳକ ମଧ୍ୟ ନାହିଁ । ଯାହାଫଳରେ ଅଞ୍ଚଳର ଜନସାଧାରଣ ଆର୍‌. ଡ଼ି. ବିଭାଗର କାର୍ଯ୍ୟକଳାପକୁ ଲୋକେ ନାପସନ୍ଦ କରୁଛନ୍ତି । ଏହି ପୋଲ ନିର୍ମାଣ ଆରମ୍ଭ ହେବା ପରେ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ନିମ୍ନମାନର କାର୍ଯ୍ୟ ଚାଲିଛି ବୋଲି ଅବଗତ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିଲେ । ଏପରିକି ସଇଁତଲାଠାରେ ଏସ୍‌ଡ଼ିଓ ଅଫିସ ଥିବା ବେଳେ କୋଣସି କନିଷ୍ଠ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ ମଧ୍ୟ ହେଡ଼କ୍ୱାଟରରେ ରହୁନାହିଁ । ଯାହା ଦ୍ୱାରା ଠିକାଦାରମାନେ ମନମୁଖୀ କାମ କରୁଥିବା ଅଭିଯୋଗ ହେଉଛି । ଯେତେ ବେଳେ ଇଚ୍ଛା ହେବ ବିଭାଗୀୟ ଅଧିକାରୀମାନେ ଆସି କାର୍ଯ୍ୟସ୍ଥଳ ବୁଲି ପୁଣି ନିଜ ବସସ୍ଥାନ ସହରକୁ ଫେରି ଯାଉଛନ୍ତି । ଏହା ସହିତ ଠିକାଦାର ପୋଲ ନିର୍ମାଣ ସମୟରେ ଚାଷୀମାନଙ୍କ ଚାଷ ଜମିରେ ବାଲି, ପଥର, ସିମେଣ୍ଟ, ମେଟାଲ, ଗେଠି, ଲୁହାଛଡ଼ ସାମଗ୍ରୀଗୁଡିକ ରଖି କାମ କରୁଥିଲେ । କିନ୍ତୁ କାମ ଶେଷ ପରେ ଠିକାଦାର କୌଣସି ସଫା ସୁତୁରା ନ କରି ଚାଷ ଜମିକୁ ଅବ୍ୟବସ୍ଥା କରି ଛାଡି ଫେରାର ହୋଇଗଲେ । ଫଳରେ ଚାଷୀମାନେ ଚାଷ ନ କରି ମୁଣ୍ଡରେ ହାତ ଦେଇ ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ ଲିଆକାନୀ ଓ ବାବୁକେଲଗାଁର ଲୋକେ ଉଭୟଙ୍କ ଚାଷଜମି ପୋଲ ପାଖରେ ଥିବା ବେଳେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ପୋଲର ପାର୍ଶ୍ୱରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଯାତାୟତରେ ବାଧା ଦେଖାଦେଲାଣି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀମନ୍ତ ପଣ୍ଡାଙ୍କୁ ଫୋନ ଯୋଗେ ପଚାରିବାରୁ କାମ ସରି ନାହିଁ । ବର୍ଷା ସରିଲେ ପୁଣି ଠିକାଦାର କାମ ଆରମ୍ଭ କରିବ ବୋଲି କହିଥିଲେ । କିନ୍ତୁ ପୋଲ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ଗାର୍ଡୱାଲ ଭାଙ୍ଗି ପୁଣି ମରାମତି ମାଗୁଥିବାରୁ ଅନିୟମିତତା କାର୍ଯ୍ୟ ଏବେ ଲୋକେ ଦେଖିଲେ । ଏଣୁ ଏହି ପୋଲ କାର୍ଯ୍ୟକୁ ଶୀଘ୍ର ମରାମତି କରିବା ପାଇଁ ବୁଢ଼ାବାହାଲ ପଞ୍ଚାୟତର ନାଏବ ସରପଞ୍ଚ ବିଜୟ ସେଲମା, ଲିଆକାନୀ ୱାର୍ଡ ମେମ୍ବର ବୁଇ ମାଝୀ, ମହାବୀର ସିଂ, ନୃପ ନାଗ, କ୍ଷମାନିଧି ସିଂ, ଦ୍ୱିତୀୟା ସାହୁ, ହରେ ସେଠ, କବିରାଜ ସାହୁ, ଦେବାର୍ଚ୍ଚନ ସେଲମା, ଲବ ଭୁଏ, ହେମସାଗର ମାଝୀ, ଗଜିନ୍ଦ୍ର ଭୁଏ, ରାମଚନ୍ଦ୍ର ସେଲମା, ପଦ୍ମିନୀ ବାରିକଙ୍କ ସମେତ ଲିଆକାନୀ ଓ ବାବୁକେଲଗା ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି ।

Leave A Reply

Your email address will not be published.