ଜଟିଳ ନ୍ୟାୟିକ ପେନସନ୍ ପ୍ରଦାନ ସାମାରୋହ

  • ତିରିଶ୍ ବର୍ଷ ତଳେ ନିଖୋଜ ନୃସିଂହ ଚରଣ ପଟ୍ଟନାୟକଙ୍କ ପରିବାରକୁ ୧୯ ଲକ୍ଷ ପେନସନ୍ ରାଶି ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଷାଗାର ଛତ୍ରପୁର ଆନୁକୂଲ୍ୟରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ କାର୍ଯ୍ୟାଳୟ ପରିସରରେ ଜଟିଳ ନ୍ୟାୟିକ ପେନସନ୍ ପ୍ରଦାନ ସାମାରୋହ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ୧୯୯୩ ମସିହାରେ ଛତ୍ରପୁର ଅଗ୍ନିଶମ ସେବା କେନ୍ଦ୍ରରୁ ନିଖୋଜ ହୋଇଯାଇଥିବା ଆଗ୍ନିକ ନୃସିଂହ ଚରଣ ପଟ୍ଟନାୟକଙ୍କ ପରିବାରକୁ ତାଙ୍କର ନ୍ୟାୟୋଚିତ ପ୍ରାପ୍ୟ ୧୯ ଲକ୍ଷ ଟଙ୍କା ସହ ପରିବାର ପେନସନ୍ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସ୍ୱତନ୍ତ୍ର କୋଷାଗାର ଅଧିକାରୀ ହରିଶ୍ଚନ୍ଦ୍ର ପ୍ରଧାନ, ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ନୃସିଂହ ଚରଣ ପଟ୍ଟନାୟକଙ୍କ ପରିବାରଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା କୋଷାଗାର ଅଧିକାରୀ ସୁଶ୍ରୀ ଅଳକାନନ୍ଦା ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଏହି ଅବସରରେ ଏଭଳି ଏକ ବିରଳ ଏବଂ ଜଟିଳ ପେନସନ୍ ନ୍ୟାୟିକ ବିଷୟ ଖୁବ ଜଟିଳତା ଥିଲା । ଯାହା ଏକ ଅସମ୍ଭବ ପରିସ୍ଥିତିରେ ରହିଥିଲା ବୋଲି ଛତ୍ରପୁର ବିଧାୟକ ଶ୍ରୀ ବେହେରା କହିଥିଲେ । କାରଣ ୧୯୯୩ ମସିହାରେ ଆଗ୍ନିକ ଶ୍ରୀ ପଟ୍ଟନାୟକ ଯେବେ ଅଗ୍ନିଶମ କେନ୍ଦ୍ରରୁ ନିଖୋଜ ହୋଇଥିଲେ ସେ ପୁନର୍ବାର କାର୍ଯ୍ୟରେ ଯୋଗଦାନ ନ କରିବା ହେତୁ ଅଗ୍ନିଶମ ବିଭାଗ ତରଫରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା । ଚାକିରିରୁ ବହିଷ୍କୃତ ହୋଇଥିବା ବ୍ୟକ୍ତି ସରକାରୀ ନିୟମ ଅନୁସାରେ ପେନସନ୍‌ର ଅଧିକାରୀ ହୋଇ ନଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ସେହି ବହିଷ୍କୃତ ବ୍ୟକ୍ତି ଆଉ ଫେରି ନଥିଲେ ଏବଂ କୌଣସି କୋର୍ଟ ମଧ୍ୟ ତାଙ୍କୁ ମୃତ ଘୋଷଣା କରିନଥିଲେ । ନିଖୋଜ ଆତ୍ମିକଙ୍କ ପନ୍ତ୍ରୀ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ବିଭିନ୍ନ ମହଲରେ ନିଜ ପତିଙ୍କ ପେନସନ୍ ପାଇବା ଲାଗି ଅନେକ ବିନୀତ ପ୍ରାର୍ଥନା ଓ ପ୍ରଶାସନ ନିକଟରେ ସଦୟ ଅନୁରୋଧ କରିଥିଲେ । ପ୍ରଥମତଃ ୨୦୨୨ ମସିହାରେ ତତ୍କାଳୀନ ଅଗ୍ନିଶମ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ଏବଂ ଅଗ୍ନିଶମ ନିର୍ଦ୍ଦେଶାଳୟର ଲେଖା ଅଧିକାରୀ ଏବଂ ବର୍ତ୍ତମାନର ଜିଲ୍ଲା କୋଷାଗାର ଅଧିକାରୀ ସୁଶ୍ରୀ ଅଳକାନନ୍ଦା ତ୍ରିପାଠୀଙ୍କ ମିଳିତ ଉଦ୍ୟମରେ ଏହି ପେନସନ୍ ପଛରେ ଥିବା ନ୍ୟାୟିକ ଜଟିଳତାଗୁଡିକୁ ହଟାଇ ଦିଆଯାଇଥିଲା ।

Leave A Reply

Your email address will not be published.