ଗ୍ରାମସଭାଠାରୁ ଆରମ୍ଭ କରି ସବୁଆଡ଼େ ଫାଇଲେରିଆ ନିରାକରଣ ସଚେତନତାକୁ ବ୍ୟାପକ କରାଯାଉ : ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଚାଲିଛି । ଏହାକୁ ବ୍ୟାପକ କରିବା ନେଇ ଦ୍ୱିତୀୟ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ବୈଠକ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦ୍ଭାବନା ଗୃହ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେ ଯେ, ଡେଙ୍ଗୁ, ଫାଇଲେରିଆ ଇତ୍ୟାଦି ରୋଗରୁ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ସରକାରୀ ସ୍ତରରୁ ବୈଠକ ହୋଇସାରିଛି । ଏଭଳି ରୋଗ ମୁଖ୍ୟତଃ ଜିଲ୍ଲାର ଆଭ୍ୟନ୍ତରୀଣ ଉପାନ୍ତ ଅଞ୍ଚଳରେ ଅଧିକ ଦେଖାଯାଉଛି । ସେହି ଅଞ୍ଚଳଗୁଡିକରେ ଅଧିକ ଦୃଷ୍ଟି ଦେଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଗଲେ ଏଭଳି ରୋଗ ବ୍ୟାପିବାରୁ ଲୋକେ ବଞ୍ଚିତ ହୋଇ ପାରିବେ । ବୈଜ୍ଞାନିକ ପଦ୍ଧତି ଅନୁସରଣ କରି କାର୍ଯ୍ୟପନ୍ଥା ସ୍ଥିର କଲେ ଯୋଜନାର ସୁଫଳ ମିଳିବ । ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, ଫାଇଲେରିଆ ଜନିତ ରୋଗର ନିରାକରଣ ସକାଶେ ପ୍ରତି ପଞ୍ଚାୟତ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଲୋକ ପ୍ରତିନିଧିମାନଙ୍କୁ ଅନୁର୍ଭୁକ୍ତ କରି ବୈଠକ ଆଗତ କରି ସମସ୍ତଙ୍କ ସହଭାଗିତାରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ଜଣାଇଥିଲେ । ତେଣୁ ଗ୍ରାମ ସଭାଠାରୁ ଆରମ୍ଭ କରି ସବୁସ୍ଥାନରେ ସଚେତନତା କାର୍ଯ୍ୟକୁ ବ୍ୟାପକ କରାଯାଉ । ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କଲା ବେଳେ ସଭା ସମିତି ଦ୍ଵାରା ସର୍ବ ପ୍ରଥମେ ଜନ ପ୍ରତିନିଧି, ଅଧିକାରୀ କିମ୍ବା ଶ୍ରେଣୀ ଗୃହରେ ଶିକ୍ଷକ ସେବନ କଲେ ବଟିକା ଖାଇବା ସକାଶେ ଲୋକଙ୍କ ମଧ୍ୟରେ ରହିଥିବା ଭ୍ରାନ୍ତ ଧାରଣା ଦୂର ହେବ ଓ ବିଶ୍ୱାସ ଭାଜନ ହେବ । ତେବେ ଯାଇ ଔଷଧ ସେବନ ସଫଳ ହେବ । ଆସନ୍ତା ଅଗଷ୍ଟ ମାସ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଜିଇସି, ଆଲବେଣ୍ଡାଜୋଲ ବଟିକା ସହ ଆଇଭରମେକ୍ସିନ୍ ବଟିକା ଯଥାକ୍ରମେ ବୟସ ଓ ଉଚ୍ଚତା ଅନୁପାତରେ ଖୁଆଇ ଦିଆଯିବ । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଏହି ଔଷଧ ଖୁଆଇ ଦିଆଯିବ । ଆଶା, ଅଙ୍ଗନୱାଡିକର୍ମୀ ଓ ସେଚ୍ଛାସେବୀମାନଙ୍କ ଦ୍ୱାରା ଏହି ଔଷଧ ଖୁଆଇ ଦିଆଯିବ । ଗଞ୍ଜାମ ଜିଲ୍ଲାରେ ରହିଥିବା ସମସ୍ତ ବିଦ୍ୟାଳୟ ଗୁଡିକରେ ୫-ଟି, କାର୍ଯ୍ୟକ୍ରମ ଦ୍ୱାରା ପ୍ରଦତ୍ତ ଟିଭି ମାଧ୍ୟମରେ ସଚେତନତା ଭିଡିଓ ପ୍ରଦର୍ଶନ କରି ରୋଗର କାରଣ ଓ ଲକ୍ଷଣ ପ୍ରତି ସମସ୍ତେ ଜାଣିପାରିବେ ଏବଂ ଔଷଧ ସେବନର ଗୁରୁତ୍ଵ ସମ୍ପର୍କରେ ଅବଗତ ହେବେ । ଚଳିତ ଥର ସେବନ ହେବାକୁ ଥିବା ଔଷଧଗୁଡିକ ଅତି ଉତ୍ତମ ଏବଂ ଏଗୁଡିକ ଜାପାନ ଓ ଫ୍ରାନ୍ସରୁ ଆସିଛି । ସମସ୍ତ ଔଷଧଗୁଡିକର ବ୍ୟବହାର ଉତ୍ତମ ରୂପେ ଯେଭଳି ହେବ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ସମେତ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ଏହି ଔଷଧ ବିତରଣ ନିମନ୍ତେ ବୈଠକ ଆଗତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜନ ସାଧାରଣ ସମେତ ବିଭିନ୍ନ ପରିବହନ ସଂସ୍ଥା, ଶିଳ୍ପାଞ୍ଚଳ, ଜେଲ୍ ପରିସର, ମହାବିଦ୍ୟାଳୟ କାର୍ଯ୍ୟାଳୟ ଗୁଡିକର ଲୋକମାନେ ଯେପରି ସଠିକ ମାତ୍ରାରେ ଔଷଧ ସେବନ କରିବେ ସେ ଦିଗରେ ସଚେତନ ଓ କାର୍ଯ୍ୟଖସଡା କରାଇବାକୁ କୁହାଯାଇଛି । ଗୋଟିଏ କ୍ୟାଲେଣ୍ଡର ପ୍ରସ୍ତୁତ କରି କେଉଁ ଦିନ କେଉଁଠି ଔଷଧ ସେବନ କରାଯିବ ତାହା ପୂର୍ବରୁ ଯୋଜନା କରିବାକୁ କୁହାଯାଇଛି । ସମ୍ପ୍ରତି ଆଖୁରା ଚାଲିଛି । ଯେଉଁ ଛାତ୍ରଛାତ୍ରଗଣ ଆଖୁଧରାରେ ପୀଡିତ ହେଉଛନ୍ତି ସେମାନେ ଶିକ୍ଷାନୁଷ୍ଠାନକୁ ନଯାଇ ଘରେ ରହିବାକୁ କୁହାଯାଇଛି । ମଶା କାମୁଡିବା ଦ୍ୱାରା ଫାଇଲେରିଆ ଜୀବାଣୁ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିଥାଏ । ଶରୀରରେ ପ୍ରବେଶ କରିବାର ୧୦ ରୁ ୧୫ବର୍ଷ ପରେ ରୋଗର ଲକ୍ଷଣ ମାନ ପ୍ରକାଶ ପାଇ ଫାଇଲେରିଆ ହୁଏ । ଥରେ ଫାଇଲେରିଆ ହେଲେ ତାହା ଛାଡେ ନାହିଁ । ଏଣୁ ସର୍ତକତ୍ତା ଅବଲମ୍ବନ ଓ ସାବଧାନ ହେବା ଜରୁରୀ ଅଟେ ବୋଲି ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି । ସେହିଭଳି ଡେଙ୍ଗୁ ଜ୍ୱର ଏଡିସ୍ ମଶା କାମୁଡିବା ଦ୍ୱାରା ବ୍ୟାପୀ ଥାଏ । ଏଣୁ ମଶା ଜମି ରହିଥିବା ପାଣିରେ ଅଣ୍ଡାଦେଇ ବଂଶ ବୃଦ୍ଧିକରେ ଓ ଦିନବେଳେ କାମୁଡିଥାଏ ଏହି ରୋଗକୁ ଦୂରରେ ରଖିବା ପାଇଁ ନିୟମିତ ମଶାରୀ ବ୍ୟବହାର, ପାଣି ରହୁଥିବା ପାତ୍ର, ଟାଙ୍କି, ରୁମ୍ କୁଲର ଇତ୍ୟାଦି ଦୁଇ ତିନି ଦିନରେ ଥରେ ସଫା କରିବା ଓ ପୂରା ଶରୀର ଘୋଡାଇବା ଭଳି ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇ ସଚେତନତା କରିବା ନେଇ କୁହାଯାଇଛି । ଫାଇଲେରିଆ ସକାଶେ ଶରୀରର ଉଚ୍ଚତା ଅନୁସାରେ ଔଷଧ ସେବନ କରିବାକୁ ଦିଆଯିବ । ଜିଲ୍ଲାରେ ୩୮,୫୪,୦୪୩ ଜନସଂଖ୍ୟା ରହିଛି । ୭୫,୧୪,୨୨୩ ଗୋଟି ତିଇସି ବଟିକା ୭୫,୧୪,୨୨୩ ଗୋଟି ଇନଭରମେକ୍ଟିନ୍‌ ବଟିକା ଏବଂ ୩୦,୦୫,୬୮୯ ଗୋଟି ଆଲବେଣ୍ଡାଜୋଲ ବଟିକା ବଣ୍ଟନ କରାଯିବ ନେଇ ବୈଠକରେ ଗୁରୁତ୍ତ୍ଵାରୋପ କରାଯାଇଥିଲା । ଆଜିର ବୈଠକରେ ଆଇ ଏ.ଏସ୍. ପ୍ରୋବେସନାରୀ ସମୀର କୁମାର ଜେନା, ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡଃ. ଭୀମା ଶଙ୍କର ମିଶ୍ର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ. ଜଗଦୀଶ ପଟ୍ଟନାୟକ ଅତିରିକ୍ତ ମୁଖ୍ୟଜିଲ୍ଲା ଚିକିତ୍ସାଧିକାରୀ ଡଃ. ସନ୍ତୋଷ କୁମାର ପାଢୀ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ଡ଼ଃ. ଭି. ସରୋଜିନୀ ଦେବୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଜିଲ୍ଲା ଯୋଜନା ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡେଙ୍ଗୁ, ମ୍ୟାଲେରିଆ ରୋଗ ନିରୋଧ ପରିଚାଳକ ସୁଜିତ୍ କୁମାର କାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!