- ଟାଟା ପାୱାରର ମନମୁଖି କାର୍ଯ୍ୟ ଉପରେ ବର୍ଷିଲେ ଶ୍ରମିକ ସଂଘର କାର୍ଯ୍ୟକର୍ତ୍ତା ଓ ନେତୃସ୍ଥାନୀୟ
ବ୍ରହ୍ମପୁର, (କେପିଏନ୍ଏସ୍) : ବ୍ରହ୍ମପୁର ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ରାଜ୍ୟ ସଭାପତି ରମେଶ ଚନ୍ଦ୍ର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବିଦ୍ୟୁତ ବିଭାଗର ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ରିଲାଏନ୍ସ କମ୍ପାନୀକୁ ସରକାର ୪୨୭୪ କୋଟି ଛାଡ କରି ୨୫ବର୍ଷ ପାଇଁ ଟାଟା ପାୱାର ନିକଟରେ ବିଦ୍ୟୁତ ବିଭାଗକୁ ବନ୍ଧା ପକାଇ ହଇରାଣ ହରକତ କରୁଛନ୍ତି ସେହି ସମ୍ପର୍କରେ ବିଭିନ୍ନ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଟାଟା କମ୍ପାନୀ ବ୍ରିଟିସ ଶାସନ ଢ଼ାଞ୍ଚାରେ ଶୋଷଣ କରୁଛି ତାହା ସମ୍ପର୍କରେ ଇଂଜିନିୟରସ୍ ପାୱାର ଆସୋସିଏସନ୍ର ଉପସଭାପତି ଇଂ. ଅକ୍ଷୟ କୁମାର ଦଳାଇ ଏବଂ ସାଧାରଣ ସଂପାଦକ ଇଂ.ସୁନୀଲ କୁମାର ସ୍ୱାଇଁ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର ସାଧାରଣ ସଂପାଦକ ଜଗନ୍ନାଥ ମହାରଣା ନିଜ ଅଭିଭାଷଣରେ ବିଭିନ୍ନ ବର୍ଗର କର୍ମଚାରୀମାନେ ଏକତା ଭାବରେ ଲଢେ଼ଇ କରି ଟାଟା ପାୱାରର ମନମୁଖି ଶାସନକୁ ପ୍ରତିହତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର ଉପଦେଷ୍ଟା ତଥା ରାଜ୍ୟ ହିନ୍ଦ୍ ମଜୁଦୁର ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ରବି ରଥ ଟାଟା ପାୱାରର ଶ୍ରମିକ ମାରଣ ନୀତିକୁ ରାଜ୍ୟ ସରକାର କିପରି ପ୍ରୋତ୍ସାହନ କରି କର୍ମଚାରୀମାନଙ୍କୁ ହଇରାଣ ହରକତ କରୁଛନ୍ତି ସେ ସମ୍ପର୍କରେ ଶ୍ରମିକମାନଙ୍କୁ ଚେତାଇ ଏକତାର ସହ ହକ ପାଇଁ ଲଢେ଼ଇ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଟାଟା ପାୱାର ରାଜ୍ୟ ଶ୍ରମିକ କଲ୍ୟାଣ ନୀତି ଓ ଆଇନକୁ ଉଲ୍ଲଂଘନ କରିବା ସହ ବିଭିନ୍ନ ବର୍ଗର କର୍ମଚାରୀ ସୃଷ୍ଟି କରି ବିଭାଜନ ନୀତି ମାଧ୍ୟମରେ ଶ୍ରମିକମାନଙ୍କୁ ହଇରାଣ କରିବା ବନ୍ଦ ନକଲେ ସୃଷ୍ଟି ହେବାକୁ ଥିବା ବିଶୃଙ୍ଖଳିତ ପରିସ୍ଥିତି ପାଇଁ ଟାଟା ପାୱାର ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଯୁବ ସାମାଜିକ କର୍ମୀ ତଥା ଆଇନଜୀବୀ ଅନନ୍ତ ନାରାୟଣ ମହାନ୍ତି କହିଛନ୍ତି । ସଂଗଠନର ବିଭିନ୍ନ ନେତୃବର୍ଗଙ୍କ କ୍ଷୋଭରୁ ସ୍ପଷ୍ଟ ଯେ, ଭାରତର ଆଇନ ଓ ସମ୍ବିଧାନ ବ୍ୟବସ୍ଥାରେ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଥିବା କୌଣସି ନୀତିନିୟମକୁ ଟାଟା ପାୱାର ଅନୁପାଳନ କରୁନଥିବା ସ୍ପଷ୍ଟ ହୋଇଛି । ଟାଟା ପାୱାର ବିଦ୍ୟୁତ ବିଭାଗର ବିତରଣ ଦାୟିତ୍ୱ ନେଲା ଦିନ ଠାରୁ ଦକ୍ଷତା ସମ୍ପର୍ଣ୍ଣ ଅଭିଜ୍ଞ ଠିକା କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛି । ବୈଷୟିକ ବ୍ୟବସ୍ଥାକୁ ଦ୍ୱାହି ଦେଇ ବର୍ଷ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରୁଥୁବା କର୍ମଚାରୀ ମାନଙ୍କୁ ଛଟେଇ କରୁଅଛି । ରାଜ୍ୟର ହଜାର ହଜାର ଠିକା କର୍ମଚାରୀଙ୍କ ଭବିଷ୍ୟତ ସୂତା ଖିଅରେ ଝୁଲୁଛି । ପାଖାପାଖି ୩୦ହଜାର ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ କୌଣସି ଏକ ସ୍ଥାୟୀତ୍ୱ ଚାକିରୀ ସର୍ତ୍ତାବଳୀ କିମ୍ବା ଦକ୍ଷତା ଓ କାର୍ଯ୍ୟ ଅନୁପାତରେ ସଠିକ୍ ପ୍ରାପ୍ୟ ଦେବାର ନୀତି ନିର୍ଦ୍ଧାରଣ କରିବାରେ ଟାଟା ପାୱାର ଟାଳଟୁଳ ନୀତି ଅବଲମ୍ବନ କରୁଅଛି । ଟାଟା ପାୱାରର କହିବା ଅନୁଯାୟୀ ସାଉଥ କୋ ଯେତେ ବେଳେ ଟାଟା ପାୱାରକୁ ହସ୍ତାନ୍ତର କରିଲା ସେତେ ବେଳେ ଗଲା ୧୦ ବର୍ଷରେ ଥିବା ଭଙ୍ଗା ଓ ଦୟନୀୟ ଅବସ୍ଥାରେ ଥିବା ଲାଇନ ଓ ସବଷ୍ଟେସନଗୁଡିକୁ ହସ୍ତାନ୍ତର କରିଅଛି । ଅର୍ଥାତ ବିପଦଜ୍ଜନକ ଅବସ୍ଥାରେ ବର୍ତ୍ତମାନ କ୍ଷେତ୍ରସ୍ତରୀୟ ବିଭିନ୍ନ ବର୍ଗର କର୍ମଚାରୀ କାର୍ଯ୍ୟ କରୁଛନ୍ତି ବୋଲି ସଂଘର ଅଭିଯୋଗ । ସେମାନଙ୍କ ସୁରକ୍ଷା ପ୍ରତି ଟାଟା ପାୱାର ଯତ୍ନବାନ ନୁହେଁ ବୋଲି ସଭାପତି ରମେଶ ଚନ୍ଦ୍ର ଶତପଥି ଅଭିଯୋଗ କରିବା ସହ ଏପରି ଦୟନୀୟ ଅବସ୍ଥାରେ ଉପଭୋକ୍ତାମାନଙ୍କୁ ଉନ୍ନତ ବିଦ୍ୟୁତ ସେବା ଦେବାରେ ବିଫଳ ଟାଟା ପାୱାର ପ୍ରତ୍ୟେକ ଉପଭୋକ୍ତାଙ୍କୁ ୫୦୦୦ ଲେଖାଏଁ କ୍ଷତି ପୂରଣ ଦେବା ସହ ସମସ୍ତ ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବୀ କରିଛନ୍ତି । ଏହି ତ୍ରୟମାସିକ ଅଧିବେସନରେ ଅନ୍ୟମାନଙ୍କ ମଧ୍ୟରେ ଘ.ବାଳକୃଷ୍ଣ ରାଓ, ଆଲୋକ କୁମାର ପାଢ଼ୀ, ଦିଲ୍ଲୀପ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଶ୍ରୀବତ୍ସ ବିଶ୍ୱାଳ, ଡେପୁଟି ଜେନେରାଲ ସେକ୍ରେଟାରୀ ଅଜିତ ପାତ୍ର, ସଂପାଦକ ରାଜେଶ୍ୱରୀ ଚୌଧୁରୀ, ଆଉଟସୋର୍ସିଂ ସଂଘ ସଂପାଦକ ବିଧୁଭୁଷଣ ଦାସ ନିଜ ନିଜ ବକ୍ତବ୍ୟରେ ଟାଟା ପାୱାରର କର୍ମଚାରୀ ମାରଣ ନୀତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସାରଦା ପ୍ରଶନ୍ନ ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।