ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତାପସାଗର ବନ୍ଧର ପୁନଃ ଉଦ୍ଧାର ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଳସତ୍ୟାଗ୍ରହ କରାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ପ୍ରତାପସାଗର ବନ୍ଧ ଆଜି ସହରର କାଦୁଅ କୁଣ୍ଡରେ ପରିଣତ ହୋଇଛି । ବନ୍ଧର ପଙ୍କ ଉଦ୍ଧାର କରି ସଫେଇ କରିବା ପରିବର୍ତ୍ତେ କିଛି ଲୋକ ନିଜ ନାଳ ନର୍ଦ୍ଦମାକୁ ଏଥିରେ ଯୋଡିି ଦେଇଛନ୍ତି । ଫଳରେ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ପାଣି ପାଇ ହଇରାଣ ହେବା ସହ ଏଠାରେ ଗାଧୋଉଥିବା ଲୋକେ ବିଭିନ୍ନ ଚର୍ମ ରୋଗରେ ପୀଡିତ ହେଉଛନ୍ତି । ବନ୍ଧର ପୁନଃ ଉଦ୍ଧାର ପାଇଁ ଅଂଚଳବାସୀ ବାରମ୍ବାର ଦାବୀ କରି ଆସୁଥିଲେ ହେଁ ପ୍ରଥମେ ଜିଲ୍ଲା ପ୍ରଶାସନ ଓ ପରେ ପୌର ପରିଷଦ ଅଂଚଳବାସୀଙ୍କ ନ୍ୟୟୋଚିତ ଦାବୀକୁ ଅଣଦେଖା କରି ଆସୁଛନ୍ତି । ଏଣିକି ଦାବୀ ପୁରଣ ନହେଲେ ଆଗକୁ ଦୁର୍ବାର ଆନ୍ଦୋଳନ ପାଇଁ କ୍ରିୟାନୁଷ୍ଠାନ କମିଟି ଅଣ୍ଟା ଭିଡୁଛି ବୋଲି ଓା୍ୱର୍ଡ ନଂ ୧୬ର କ୍ରିୟାନୁଷ୍ଠାନ କମିଟି କହିଛି । ବଲାଙ୍ଗିର ୱାର୍ଡ ନଂ ୧୬ ସ୍ଥିତ ପ୍ରତାପସାଗର ବନ୍ଧର ପଙ୍କୋଦ୍ଧାର ଓ ସଫେଇ ଦାବୀରେ କିଛି ଦିନ ପୂର୍ବରୁ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଅଂଚଳବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଓ ପୌରାଧ୍ୟକ୍ଷାଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଅଂଚଳବାସୀଙ୍କ ଦାବୀକୁ ଦୁଇ ମାସରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ବନ୍ଧର ପଙ୍କ ଉଦ୍ଧାର, ସଫେଇ ଓ ପୁନଃ ଉଦ୍ଧାର ଦିଗରେ ପ୍ରଶାସନ ପକ୍ଷରୁ କେଉଁ କାରଣରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ତାହ ଜଣାପଡୁନାହିଁ । ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ସହରରେ ବନ୍ଧ କଣ୍ଟାର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ଆଜି କ୍ରିୟାନୁଷ୍ଠାନ କମିଟି ଓ ଅଂଚଳବାସୀଙ୍କ ପକ୍ଷରୁ ପ୍ରତାପସାଗର ବନ୍ଧରେ ଜଳ ସତ୍ୟାଗ୍ରହ କରାଯାଇଛି । ଯଥା ଶୀଘ୍ର ପ୍ରତାପସାଗର ବନ୍ଧର ପୁନଃ ଉଦ୍ଧାର କରାନଗଲେ ଆଗାମୀ ଦିନରେ କ୍ରିୟାନୁଷ୍ଠାନ କମିଟି ଓ ଅଂଚଳବାସୀ ଦୁର୍ବାର ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ ୧୬ର କ୍ରିୟାନୁଷ୍ଠାନ କମିଟିର ସଭାପତି ଅଜୟ ତ୍ରିପାଠୀ, ଆଶୁତୋଷ ମହାନ୍ତି (ଝୁପଲୁ), ସନୋଜ ପଟ୍ଟନାୟକ, ଦିଲିପ ସାମଲ, ବେଟୁନ ସ୍ୱାଇଁ, ଦିପନ ଯୋଷୀ, ଚୁନଚୁନି ପୁରୋହିତ, ରାକେଶ, ନାନ୍ଦୁନୁ ପାତ୍ର, ସନ୍ତୋଷ ପାତ୍ର, ସୁକାନ୍ତି ବେହେରା, ଡଲି ନାଏକ, ଜୁଲି କନ୍ଧେଲ, ମାଧୁରୀ ନାଗ, ଉର୍ମିଲା ନାଗ, ସୁଧା ସ୍ୱାଇଁ, ଗୋଲାପି ସୁନା, ଉଷା ସୁନା, ଜିଲ୍ଲା କଂଗ୍ରେସ ଉପସଭପତି ମନୀଷ ମିଶ୍ର, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଜୁଲୁ ପଟ୍ଟନାୟକ, କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଟାଉନ କଂଗ୍ରେସ ମିଡିଆ ସେଲ ସଂଯୋଜକ ଲୋପନ ମିଶ୍ର, ଅଜିତ ମହାନନ୍ଦ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ବ୍ରଜ ସେଠି, ସଂଜୟ ମିଶ୍ର, ବବିତା ସାହୁ, ସାଇନା ବେଗମ୍ ପ୍ରମୁଖ ସାମିଲ ଥିଲେ । ଶେଷରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଆଜିର ଏହି ଜଳ ସତ୍ୟାଗ୍ରହରେ ଯୋଗଦାନ କରିଥିବା କ୍ରିୟାନୁଷ୍ଠାନ କମିଟି ଏବଂ ବସ୍ତି ବାସିନ୍ଦାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।