- ଶୃଙ୍ଖଳା ମଣିଷକୁ ଉନ୍ନତି ପଥରେ ନେଇଥାଏ
ବଲାଙ୍ଗୀର, (କେପିଏନଏସ୍) : ବଲାଙ୍ଗିର ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଶତବାର୍ଷିକୀ ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଛାତ୍ରବୃତ୍ତି ପ୍ରଦାନ ସଭା ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟ ସଭାପତି ଚିତ୍ତରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟକୁ ପୌଷ୍ୟ ଭାବେ ଗ୍ରହଣ କରିଥିବା ବଲାଙ୍ଗିର ବିଧାୟକ ଶ୍ରୀ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରି ଛାତ୍ରମାନଙ୍କୁ ପରିଶ୍ରମୀ ଏବଂ ଉତ୍ତମ ଛାତ୍ର ହେବାକୁ ପରାମର୍ଶ ଦେଇଥିଲେ । ଶୃଙ୍ଖଳା ମଣିଷକୁ ଉନ୍ନତି ପଥରେ ନେଇଥାଏ, ତେଣୁ ଛାତ୍ରମାନେ ପ୍ରଥମେ ଶୃଙ୍ଖଳିତ ହୁଅନ୍ତୁ ଓ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ଗଢ଼ିବା ପାଇଁ ଆଗକୁ ମଧ୍ୟ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦାନ କରି ଛାତ୍ର ଜୀବନ ହିଁ ଶ୍ରେଷ୍ଠ ସମୟ ଏବଂ ଛାତ୍ର ମାନଙ୍କ ମଧ୍ୟରେ ଜିଜ୍ଞାସୁ ମନୋଭାବ ରହିବା ରହିବା ଉଚିତ୍ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶତବାର୍ଷିକୀ ଟ୍ରଷ୍ଟ ଉପଦେଷ୍ଟା ତଥା ଶିକ୍ଷାବିତ ପ୍ରଫେସର ମଧୁସୂଦନ ପତି ସଭାରେ ଉପସ୍ଥିତ ରହି ଛାତ୍ର ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ହିଁ ତାଙ୍କୁ ଆଦର୍ଶ ଛାତ୍ର ଭାବେ ଗଢ଼ିବାର ପଥ ଦେଖାଇଥାଏ ବୋଲି ମତ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଟ୍ରଷ୍ଟ ସମ୍ପାଦିକା ସନ୍ତୋଷିନୀ ସେଠୀ ଶୃଙ୍ଖଳା ହିଁ ଉନ୍ନତିର ଚାବିକାଠି ବୋଲି କହିଥିଲେ । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଛାତ୍ର ଦୀପକ ନାୟକ, ୨୦୨୧-୨୨ ବର୍ଷ ପାଇଁ ଛାତ୍ର ସୁଜିତ କୁମାର ଜେନା ଏବଂ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଛାତ୍ର ମାନସିକ ସୁନାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଟ୍ରଷ୍ଟ ସଭାପତି ଦାଶ ସଂଯୋଜନା କରିଥିଲେ । ଶେଷରେ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ତଥା ଟ୍ରଷ୍ଟ ସଭ୍ୟ ବିକାଶ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ, ବିଦ୍ୟାଳୟ ଶତବାର୍ଷିକୀ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେଉଥିବା ଗରିବ ମେଧାବୀ ଛାତ୍ରଙ୍କୁ ୨ ବର୍ଷ ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ । ସଭାରେ ବିଦ୍ୟାଳୟ ଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ ।