csstore

ନିଟ୍‌ରେ କୃତିତ୍ଵ ହାସଲ କରିଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ପାଞ୍ଚ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ୨୦୨୩ ବର୍ଷ ସର୍ବ ଭାରତୀୟ ମେଡିକାଲ ପରୀକ୍ଷା (ନିଟ୍‌)ରେ କୃତିତ୍ଵ ହାସଲ କରିଥିବା ବଲାଙ୍ଗିର ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟାଳୟ କନଫରେନ୍ସ ହଲରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଓଡିଶା ଆଦର୍ଶ ବିଦ୍ୟାଳୟ, ବିବିନାର ଛାତ୍ର ଅଜୟ ମେହେର, ପଥରଚେପାର ଅନୁଭବ ମିଶ୍ର ଏବଂ ନିଶାରାଣୀ ସା, ଭାଲୁମୁଣ୍ଡାର ଜ୍ଞାନବନ୍ତ ସାହୁ, ମହିମୁଣ୍ଡାର ଶୃତି ସ୍ମରଣୀ ସାହୁଙ୍କୁ ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରଶଂସାପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନିଟରେ କୃତିତ୍ଵ ହାସଲ କରିବାରେ ବଲାଙ୍ଗିରର ସଫଳତା ସମଗ୍ର ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିପାରିଛି । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ଓଡିଶା ଆଦର୍ଶ ବିଦ୍ୟାଳୟ ହିଁ ସେସବୁ ସମ୍ଭବ କରିପାରିଛି । ଜିଲ୍ଲାପାଳ ସମସ୍ତଙ୍କୁ ଭଲ ମଣିଷ ହେବା ସହ ନିଜ ଅଞ୍ଚଳର ନାମ ରଖିବାକୁ ଆହ୍ଵାନ କରିଥିଲେ । ନିଟ୍‌ ପାଇଥିବା ଛାତ୍ରଛାତ୍ରୀମାନଙ୍କ ସ୍କୁଲର ଉନ୍‌ନ୍ନତିକରଣ ପାଇଁ ପୁରସ୍କାର ଆକାରରେ ଅର୍ଥ ରାଶି ଘୋଷଣା କରିଛନ୍ତି । କୃତି ଛାତ୍ରଛାତ୍ରୀ ଭାଷଣ ଦେଇ ନିଜର ଖୁସି ବ୍ୟକ୍ତ କରିବା ସହ ଭଲ ଡାକ୍ତର ହୋଇ ଜନସେବାରେ ମନାନିବେଶ କରିବେ ବୋଲି କହିଥିଲେ । ଏହି ସଭାରେ ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀ ଧୃବ ଚରଣ ବେହେରା ଏବଂ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । କନ୍ଧକେଲଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାମଗୋପାଲ ଶର୍ମା ସଭା ପରିଚାଳନା କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ପ୍ରିନ୍‌ସିପାଲ୍‌ କ୍ଷମାନିଧି ଝାଙ୍କର ।

jayashree
Leave A Reply

Your email address will not be published.