jayashree

ଫର୍ଜି ସାର୍ଟିଫିକେଟ୍‌ ମାମଲାକୁ ନେଇ ବଲାଙ୍ଗିର ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସର କ୍ଲିନ୍‌ କ୍ରିମିନାଲ୍‌ ମିଶନ୍‌ ଜୋର୍‌ ଧରିଥିବା ବେଳେ ଫର୍ଜି ସାର୍ଟିଫିକେଟ୍‌ ମାମଲା ପୁଲିସ୍‌ ପନ୍‌ଝାକୁ ଆସିଛି । ଆଜି ଏସ୍‌ଡିପିଓ ତୋଫାନ ବାଗ, ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ, ସଦର ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକରଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରାଯାଇ ଫର୍ଜି ସାର୍ଟିଫିକେଟ୍‌ ର‍୍ୟାକେଟ୍‌ ସଂପର୍କରେ ସୂଚନା ଦିଆଯାଇଛି । ବଲାଙ୍ଗିର ଡାକ ମଣ୍ଡଳ ଅଧିକ୍ଷକ ରାଜେନ୍ଦ୍ର ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଟାଉନ୍‌ ଥାନାରେ ନକଲି ସାର୍ଟିଫିକେଟ୍‌ କାରବାର ମାମଲା ରୁଜ୍ଜୁ ହୋଇଥିବା ବେଳେ ବଲାଙ୍ଗିର ପୁଲିସ ମୁଖିଆଙ୍କ ନିର୍ଦ୍ଦେଶରେ ଫର୍ଜି ସାର୍ଟିଫିକେଟ୍‌ର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ୍‌ । ପୁଲିସର ତନାଘନା ତଦନ୍ତ ସଫଳ ରୂପ ନେବା ସହ ଫର୍ଜି ସାର୍ଟିଫିକେଟ୍‌ କାରବାରର ମାଷ୍ଟର୍‌ ମାଇଣ୍ଡ ମନୋଜ ମିଶ୍ର ଏବଂ ତାଙ୍କ ପାର୍ଟନର ଆଲୋକ ଉଦ୍‌ଗାତାଙ୍କୁ କାବୁ କରିବାରେ ସକ୍ଷମ ହୋଇ ପାରିଥିଲା ବଲାଙ୍ଗିର ପୁଲିସ । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁସାରେ ବଲାଙ୍ଗିର କଲେଜ ଛକ ସ୍ଥିତ ମିଶନ୍‌ ଫିଲ୍‌ଡ଼ ସାମ୍ନାରେ ରହିଥିବା ରିଲାଏନ୍ସ ଏଜୁକେସନ୍‌ କଂପ୍ଲେକ୍ସ ୧୯୯୮ ମସିହାରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ବେଳେ ୨୦୧୬ ମସିହାରୁ ରିଲାଏନ୍ସ ଏଜୁକେସନ୍‌ କଂପ୍ଲେକ ମାଲିକ ମନୋଜ ନିଜର ପାର୍ଟନର ଆଲୋକ ଉଦ୍‌ଗାତାଙ୍କ ସହ ମିଶି ଭାରତର ବିଭିନ୍ନ ୟୁନିଭର୍‌ସିଟି ନାମରେ ନକଲି ସାର୍ଟିଫିକେଟ୍‌ କାରବାର ଆରମ୍ଭ କରିଥିଲେ ଓ ଗୋଟିଏ ଗୋଟିଏ ନକଲି ସାର୍ଟିଫିକେଟ୍‌, ମାର୍କସିଟ୍‌କୁ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥିଲେ । ଏହି ନକଲି ସାର୍ଟିଫିକେଟ୍‌ ବଳରେ ଫର୍ଜି ସାର୍ଟିଫିକେଟ୍‌ଧାରୀ ଚାକିରି ଆଶାୟୀମାନେ ପୋଷ୍ଟାଲ୍‌ ଜିଡ଼ିଏସ୍‌ ଚାକିରି ପାଇଁ ଆବେଦନ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିବା କୁହାଯାଇଛି । ତେବେ କେବଳ ଜିଡ଼ିଏସ୍‌ ପାଇଁ ନୁହେଁ, ସରକାରୀ ଚାକିରି ସହ ଏମ୍‌ସିଏଲ୍‌, ରେଲୱେ, ଆର୍‌ଆଇ, ଅମିନ୍‌, ଶିକ୍ଷକ, ନର୍ସ, ଫାର୍ମା ଆଦି ପୋଷ୍ଟରେ ଆବେଦନ କରିବା ପାଇଁ ଏହି ନକଲି ସାର୍ଟିଫିକେଟ୍‌ ବ୍ୟବହାର ହୋଇପାରିବାର ଆଶା ଦେଖାଇ ନକଲି ସାର୍ଟିଫିକେଟ୍‌ ବିକ୍ରି କରାଯାଉଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମାମଲାର ତଦନ୍ତ ପରେ ଆଜି ସମୁଦାୟ ୧୯ ଜଣଙ୍କୁ ବଲାଙ୍ଗିର ପୁଲିସ ଗିରଫ୍‌ କରିଥିବା ବେଳେ ଏହି ମାମଲାରେ ଆଗକୁ ଆହୁରି ଅନେକ ଆଇନ ପନ୍‌ଝାକୁ ଆସିବେ ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି । ତେବେ ଆଜି ଗିରଫ୍‌ ହୋଇଥିବା ଅଭିଯୁକ୍ତମାନେ ହେଲେ, ରିଲାଏନ୍ସ ଏଜୁକେସନ୍‌ କଂପ୍ଲେକ ମାଲିକ ମନୋଜ କୁମାର ମିଶ୍ର ଓ ତାଙ୍କ ପାର୍ଟନର୍‌ ଆଲୋକ କୁମାର ଉଦ୍‌ଗାତା, ଗୋବିନ୍ଦ ଚନ୍ଦ୍ର ରଣା, ବାଲ୍ମୀକି ବୁଡେ଼କ, ପରେଶ ବୁଡେ଼କ, ଭୋଜରାଜ ବୁଡେ଼କ, ରାଜେଶ କୁମାର ତ୍ରିପାଠୀ, ତିପୁନ ଠେଲା, ରମାକାନ୍ତ ସାହୁ, ସୁଧୀର କୁମାର ବୁଡେ଼କ, ପ୍ରଦୀପ ସେଠ, ବିଜୟ କୁମାର ବ୍ୟାସ, ବିଦେଶୀ ବୁଡେ଼କ, ଲକ୍ଷ୍ମୀନାରାୟଣ ତାଣ୍ଡି, ରବିନ୍ଦ୍ର ମଲ୍ଲିକ, ଜଗନ୍ନାଥ ଗହୀର, ତ୍ରିବିହାରୀ ତ୍ରିଦେବ ପଣ୍ଡା, ଅରୁଣ ଛତ୍ରିଆ ଏବଂ ଶକ୍ତି ପ୍ରସାଦ ପଣ୍ଡା । ଫର୍ଜି ସାର୍ଟିଫିକେଟ୍‌ର ମାଷ୍ଟର୍‌ ମାଇଣ୍ଡ୍‌ଙ୍କ ପାଖରୁ ନଗଦ ୩ ଲକ୍ଷ ଶତଶଠୀ ହଜାର ଟଙ୍କା ସହ ୪ଟି କଂପ୍ୟୁଟର ସିଷ୍ଟମ, ୨ଟି ଲାପ୍‌ଟପ୍‌, ଗୋଟିଏ କଲର୍‌ ଓ ୨ଟି ଲେଜର୍‌ଜେଟ୍‌ ପ୍ରିଣ୍ଟର୍‌, ଗୋଟିଏ ସ୍କାନର୍‌, ଗୋଟିଏ ଜେରକ୍ସ ମେସିନ୍‌, ଗୋଟିଏ ୨୫୦ ଜିମି ଏକ୍ସଟର୍‌ନାଲ୍‌ ଡ୍ରାଇଭ୍‌ ଏସଏସଡ଼ି ଏବଂ ମୋବାଇଲ୍‌ ଫୋନ୍‌ ପୋଲିସ୍‌ ଜବତ କରିଥିବା ଜଣାପଡ଼ିଛି । ରିଲାଏନ୍ସ ଏଜୁକେସନ୍‌ କଂପ୍ଲେକକୁ ଚଢ଼ାଉ କରି ଭାରତର ସୁନାମଧନ୍ୟ ୟୁନିଭର୍‌ସିଟି ମାନଙ୍କ ସହ ୪୧ଟି ଶିକ୍ଷାନୁଷ୍ଠାନ ନକଲି ସାର୍ଟିଫିକେଟ୍‌, ମାର୍କସିଟ୍‌ ପୁଲିସ ହାତରେ ଲାଗିଥିବା ସୂଚନା ଦିଆଯାଇଥିବା ବେଳେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ତଥା ବିଦ୍ୟାଳୟର ରବର ଷ୍ଟାଫ୍‌ ମଧ୍ୟ ପୁଲିସ ଜବତ କରିଛି । ଏହା ବ୍ୟତୀତ ବଲାଙ୍ଗିର କୋର୍ଟ ଅଫ୍‌ ତହସିଲ୍‌ଦାର୍‌, ତହସିଲ୍‌ଦାର, ପୁଇଁନ୍ତଲା କୋର୍ଟ ଅଫ୍‌ ତହସିଲ୍‌ଦାର ଆଦି ବହୁ ଆପତ୍ତି ଜନକ ରବର ଷ୍ଟାଫ୍‌ ମଧ୍ୟ ପୋଲିସ ହାତରେ ଲାଗିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେବେ ଆହୁରି ଅନେକ ଆପତ୍ତି ଜନକ ସାମଗ୍ରୀ ପୋଲିସ ଜବତ କରିଥିବା ବେଳେ ଏହି ମାମଲାରେ ଆଗକୁ ଆହୁରି ତଦନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.