୩ ଗାଡ଼ି ଧକ୍କା : ୧୩ ମୃତ, ୨୦ ଆହତ

ଇସଲାମାବାଦ : ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ-ସୁକୁର ମୋଟରୱେରେ ତିନି ଗାଡି ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି । ଶନିବାର ଉଦ୍ଧାର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତିରେ ରହୀମ ୟାର ଖାନ ଟାଉନ ନିକଟରେ ଏକ ଏସୟୁଭି ଏକ ବସକୁ ଧକ୍କା ଦେଇଥିଲା । ପରେ ଟାୟାର ଫାଟିବା ପରେ କାରଟି ଓଲଟି ପଡିବାରୁ ଏହା ଅନ୍ୟ ଏକ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଲୋକଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଆହତମାନଙ୍କୁ ଲାହୋରଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ରହୀମ ୟାର ଖାନସ୍ଥିତ ଶେଖ ଜାଏଦ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଅଧିକାରୀଙ୍କ କହିବାନୁସାରେ, ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣାର କାରଣ ପୋଲିସ ଅନୁସନ୍ଧାନ କରୁଛି । ପଞ୍ଜାବ ପ୍ରଦେଶର କାର୍ୟ୍ୟକାରୀ ମୁଖ୍ୟମନ୍ତ୍ରୀ ମୋହସିନ ନାକଭି ଏହି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକ ରିପୋର୍ଟ ମାଗିଛନ୍ତି ।

Leave A Reply

Your email address will not be published.