ରାଜେନ୍ଦ୍ର ୟୁନିଭର୍ସିଟି ଛାତ୍ରଙ୍କୁ ଆକ୍ରମଣ ଘଟଣା : ୩ ଦଫା ଦାବୀରେ ଛାତ୍ର କଂଗ୍ରେସର ବିକ୍ଷୋଭ ଓ ଦାବାପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଛାତ୍ରୀଙ୍କ ବାରମ୍ବାର ଦାବୀ ସତ୍ୱେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଉଛି । ଫଳରେ ପ୍ରତ୍ୟହ ଅନେକ ଛାତ୍ରଛାତ୍ରୀ ଅଣଛାତ୍ରଙ୍କ ଅସଦାଚରଣ ଓ ଆକ୍ରମଣର ଶିକାର ହେଉଛନ୍ତି । ଗୁରୁବାର ସନ୍ଧ୍ୟାରେ ଦୁଇ ଜଣ ହଷ୍ଟେଲ ଛାତ୍ର ଏହାର ଶିକାର ହୋଇଛନ୍ତି । ଏହାର ବିରୋଧରେ ଆଜି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ତିନି ଦଫା ସମ୍ମିଳିତ ଦାବୀପତ୍ର କୁଳପତିଙ୍କୁ ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ଓ ବଲାଙ୍ଗିର ଆଦର୍ଶ ଥାନା ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଧାରଣାରୁ ଓହୋରି ଥିଲେ ।

ସୂଚନାରୁ ପ୍ରକାଶ ଯେ, ବିଶ୍ୱ ବିଦ୍ୟାଳୟର ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ବାରମ୍ବାର ଦାବୀ କରାଯାଇଥିଲା । କିନ୍ତୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ସ୍ଥାନୀୟ ପୋଲିସ ଏହାକୁ ଅଣଦେଖା କରି ଆସୁଥିବା ବେଳେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବଡ ପ୍ରଶ୍ନବାଚୀ ହୋଇ ରହିଥିଲା । ଆଖ ପାଖର ନିଶାଖୋର, ଅସମାଜିକ ଓ ଅଣଛାତ୍ର ବିଶ୍ୱବିଦ୍ୟାଳୟ ପରିସରକୁ ବେରୋକ୍‌ ଟୋକ୍‌ ପ୍ରବେଶ ତଥା ଛାତ୍ରଛାତ୍ରୀଙ୍କ ପ୍ରତି ଅସଦାଚରଣ ପ୍ରତିଦିନର ଘଟଣା ପାଲଟିଛି । ଏମାନଙ୍କ ଯୋଗୁଁ ବିଶ୍ୱବିଦ୍ୟାଳୟ ପରିସରରେ ବେଆଇନ ମଦ ଓ କଫ ସିରପ ବେପାର ସ୍ଥଳୀ ପାଲଟିଛି । ଗୁରୁବାର ଦିନ ଏମାନଙ୍କ ଦୁରାଚାର ସୀମା ଲଙ୍ଘିଛି । ଜଣେ ଅଣଛାତ୍ର ବିଶ୍ୱବିଦ୍ୟାଳୟ ପରିସରକୁ ପଶି ଦୁଇ ଜଣ ଛାତ୍ରଙ୍କ ଉପରେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ଛାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବିଶ୍ୱବିଦ୍ୟାଳୟର ପରିସର ଯଦି ଏଭଳି ଅସୁରକ୍ଷିତ ରହେ ତେବେ ଛାତ୍ରଛାତ୍ରୀ ନିଜର ସୁରକ୍ଷାରେ ଧ୍ୟାନ ଦେବେ ନା ପାଠ ପଢାରେ ଧ୍ୟାନ ଦେବେ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ନିଜ ପ୍ରଶ୍ନ କରିିଛନ୍ତି । ତା’ ସହ ଏସବୁ ସମସ୍ୟାର ସମାଧାନ ପୂର୍ବକ ବିଶ୍ୱବିଦ୍ୟାଳୟ ପରିସରରେ ଏକ ପୋଲିସ ଫାଣ୍ଡି, ହଷ୍ଟେଲ ପରିସରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଓ ପରିସରର ଚାରିପଟେ ପାଚେରୀ ନିର୍ମାଣ ସମ୍ମିଳିତ ଏକ ଦାବୀପତ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ପ୍ରଦାନ କରାଯାଇଛି । ଯଦି ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ଏସବୁ ଦାବୀକୁ ଯଥା ଶୀଘ୍ର ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଛାତ୍ରଛାତ୍ରୀ ଦୁର୍ବାର ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଶ୍ରୀ ସାହୁ ଚେତାଇ ଦେଇଛନ୍ତି । ଆଜିର ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା ଛାତ୍ର କଂଗ୍ରେସ ସଂପାଦକ ମନୋରଞ୍ଜନ ବିଶ୍ୱାଳ, ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ କମିଟି ସଭାପତି ଶୁଭେନ୍ଦୁ ସାହୁ, ଉପସଭାପତି ଅଂଚଳ ପଣ୍ଡା, ସରୋଜ ସାହୁ, ସାନୁ ମନହୀରା, କିରନ ଭୋଇ, ଆଲୋକ ନାଏକ, ସୌରଭ ସାହୁ, ରୋଶନ ପଟେଲ, ଚନ୍ଦନ ସାହୁ, ହରୀଶ ମହାକୁର, ସୁନୀଲ ବଗର୍ତ୍ତୀ, ଆଶିଷ ସାହୁ, ପ୍ରତ୍ୟୁଷ ପଟେଲ, ଶିବ ପ୍ରଧାନ, ବିଭୋଷଣ ହୋତା, ନିଗମାନନ୍ଦ ପୃଷ୍ଟି ସହ ଶତାଧିକ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.