ଆଦର୍ଶ ପାଠାଗାରର ନବମ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୮ତମ ପୁସ୍ତକ ମେଳାର ନବମ ସଂଧ୍ୟାରେ ସମ୍ବାଦ ସାହିତ୍ୟ ଘର ତରଫରୁ ସାହିତ୍ୟ ଚର୍ଚ୍ଚା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଲୋକ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ମହାପ୍ରବନ୍ଧକ ବିଜୟ କୁମାର ରାଉତ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ରିମ୍ସର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ଓ ଅଧ୍ୟାପିକା ପ୍ରଣତୀ ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ସାହିତ୍ୟର ବିକାଶ ପାଇଁ ପାଠକୀୟ ଅନୁରାଗ’ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ରମେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଶାନ୍ତାଳୀ ଭାଷାର ଅନୁବାଦକ ପୁସ୍ତକ ‘ଭାବନା’ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବିଭୁ ନାୟକ ଓ କନକଲତା ମିଶ୍ରଙ୍କ ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ, ସଂପାଦକ ପ୍ରଶାନ୍ତ ଦାସ, ରାମକୃଷ୍ଣ ତ୍ରିପାଠୀ, ମିତା ପ୍ରଧାନ, ସନାତନ ପ୍ରଧାନ, ଅଜୟ ପୂଜାରୀ, ଏଲିନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.