ରିଷିଡା ଜେ.ଡି କଲେଜର ରୌପ୍ୟ ଜୟନ୍ତୀ ଉଦ୍‌ଯାପିତ

  • ବିଦ୍ୟା ସହ ଶିକ୍ଷାଲାଭ କରିବା ଜରୁରୀ ଅଟେ

କଳାହାଣ୍ଡି, (ନରୋତ୍ତମ ସେଲମା) : ବିଦ୍ୟା ଓ ଶିକ୍ଷା ଭିନ୍ନ ଭିନ୍ନ । ଜଣେ ବିଦ୍ୟା ଅର୍ଜନ କଲେ ସେ ସବୁଗୁଣର ଅଧିକାରୀ ହୁଏ, ତାହା ନୁହେଁ ବରଂ ବିଦ୍ୟା ସହ ଶିକ୍ଷାଲାଭ କରିବାକୁ ପଡିଥାଏ ବୋଲି ରିଷିଡା ସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜର ରୌପ୍ୟ ଜୟନ୍ତୀ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । କଲେଜର ଅଧ୍ୟକ୍ଷ ଗଦାଧର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ଭୂପିନ୍ଦର ସିଂ ମୁଖ୍ୟ ଅତିଥି, ଲୋକକବିରତ୍ନ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟବକ୍ତା, ଦହିତା କଲେଜ ବରଗଡର ଇଂରାଜୀ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କର୍ଲାମୁଣ୍ଡା ବ୍ଲକର ପୁରାତନ କଲେଜ ରିଷିଡା ଜେ.ଡି କଲେଜ ଅନେକ କୃତି ସନ୍ତାନ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ । ଇଂରାଜୀ ଅଧ୍ୟାପକ ହିରୋଜ କୁମାର ଚାନ୍ଦ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ଘନଶ୍ୟାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପୁରାତନ ଛାତ୍ର ନରୋତ୍ତମ ସେଲମା ସଭା ସଂଯୋଜନା କରିଥିଲେ । ଅପରାହ୍ନ ଅଧିବେଶନରେ ବିଡିଓ ସୁଶ୍ରୀ ସୁଚରିତା ମୁଗ୍ରୀ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟ (‘କ’ ଜୋନ) ମହେନ୍ଦ୍ର ରଣା, ରିଷିଡା ସରପଞ୍ଚ ସେବତୀ ରଣା, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, ରିଷିଡା ସମିତି ସଭ୍ୟ ନିମାଁଇଚରଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ପରେ ପରେ ପୁରାତନ ଛାତ୍ର ଗଙ୍ଗାଧର ରଣାଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ପୁରାତନ ଛାତ୍ରମାନେ କୋଶଲି ନାଟକ କଳିଯୁଗିଆଯମ ପରିବେଷଣ କରିଥିବା ବେଳେ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦ, ଉତ୍କଳ ଡ୍ୟାନ୍ସ ଏଣ୍ଡ ରିସର୍ଚ୍ଚ ଏକାଡେମୀ ଖୋର୍ଦ୍ଧା ଓ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ଦିଗପହଣ୍ଡି ଗଞ୍ଜାମର କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କଲେଜର ଛାତ୍ରୀମାନେ ମଧ୍ୟ ସମ୍ବଲପୁରୀ ନୃତ୍ୟରେ ମଞ୍ଚକୁ ଦୁଲୁକାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଶରତ ସାହୁ, କ୍ଷୀରୋଦ୍ର ସାହୁ, ଲଲିତ ସାହୁ, ମକୁନ୍ଦ ରଣା, ଡାଲଟନ ରଣା, ନବୀନ ରଣା, ଶିବପ୍ରସାଦ ରଣା, ଭଗବାନ ରଣାଙ୍କ ସମେତ ପୁରାତନ ଛାତ୍ର ଭଜଶ୍ୟାମ ସାହୁ, ଯୁଗଳ କିଶୋର ରଣା, ମାର୍କଣ୍ଡ ସାହୁ, ସତ୍ୟନାରାୟଣ କୁମାର, ରମେଶଚନ୍ଦ୍ର ସାହୁ, ବାସୁଦେବ ସେଲମା, ଦେବେନ୍ଦ୍ର ଲେଙ୍କା, ରଶ୍ମିରଞ୍ଜନ ଲେଙ୍କା, ବସନ୍ତ ସାହୁ, କୈଳାସ ସାହୁ, ବିଶ୍ୱଦୀପକ ପାତ୍ର, ଭବାନୀ ସେଠ, ଅଜିତ ସାହୁଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସଦସ୍ୟାମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ସ୍ମରଣିକା ଉନ୍ମୋଚନ କରାଯିବା ସହ ନବନିର୍ମିତ ରୌପ୍ୟ ଜୟନ୍ତୀ ସ୍ମାରକୀ ପ୍ରବେଶ ଦ୍ୱାରର ଉଦ୍‌ଘାଟନ କରାଯାଇଥିଲା । ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ କର୍ଲାମୁଣ୍ଡା ତହସିଲଦାର ମିଳନ କୁମାର ଝାଙ୍କର ମୁଖ୍ୟ ଅତିଥି, ଡୁଙ୍ଗୁରିପାଲି କଲେଜର ଇତିହାସ ପ୍ରାଧ୍ୟାପକ କିଶୋର ମେହେର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ଅଧ୍ୟକ୍ଷ ଗଦାଧର ପଧାନ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି, କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶଥପଥୀ ବିଶିଷ୍ଟ ଅତିଥି, ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷିତ ହେବା ସହ ଭଲ ମଣିଷ ଟିଏ ହେବାକୁ ପରାମର୍ଶ ଦେଇଥିଲେ । ଆବାହକ ନରୋତ୍ତମ ସେଲମା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ହିରୋଜ ଚାନ୍ଦ ସ୍ୱାଗତ ଭାଷଣ ଓ ଅଧ୍ୟାପକ ଶରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କଲେଜର ପ୍ରତେକ ବର୍ଷର ଟପର ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୟୁରଭଞ୍ଜର ପଲ୍ଲବୀ ଅନୁଷ୍ଠାନ, ତୁଷୁରାର ଘୁଡକା ନୃତ୍ୟ, ପୁରାତନ ଛାତ୍ରଙ୍କ ଦ୍ୱାରା ସୀତାଚୋରି ଓ ରିଷିଡା ଶିଶୁ ମନ୍ଦିର ଛାତ୍ରଛାତ୍ରୀ ତଥା କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହାକୁ ଗଙ୍ଗାଧର ରଣା ଓ ମଧୁସୂଦନ ବାଗ ପରିଚାଳନା କରିଥିଲେ । ସମସ୍ତ ଅଧ୍ୟାପକ, କର୍ମଚାରୀ, ପୁରାତନ ଓ ଅଧ୍ୟୟନରତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.