ସାହାରା ଇଣ୍ଡିଆ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ କରିବାକୁ ପ୍ରଶାସନଠାରେ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଥ ଜମାକାରୀ ସଂସ୍ଥା “ସାହାରା ଇଣ୍ଡିଆ” କମ୍ପାନୀ ହଡ଼ପ କରିଥିବା ଜମାକାରୀଙ୍କ ଅଥବା ଲୋକଙ୍କ କୋଟି କୋଟି ଟଙ୍କା ଫେରସ୍ତ କରିବାକୁ ଦାବୀ ହୋଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ଜଉଗଡ଼ ସମ୍ମିଳନୀ ଗୃହରେ ମାସର ପ୍ରଥମ ସୋମବାର ଦିନ ସଂଗଠିତ ଅଭିଯୋଗ ଶୁଣାଣିରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯାହାକି, ଭାରତ ସରକାର, ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ, ରାଜ୍ୟ ଓ କେନ୍ଦ୍ର ସମବାୟ ମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଉକ୍ତ ସ୍ମାରକପତ୍ର ପ୍ରଦତ୍ତ ହୋଇଛି । ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଜିଲ୍ଲା ପରିଷଦ ଭବନ ତଥା ଡିଆର୍‌ଡିଏ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସାହାରା କମ୍ପାନୀର ଜନମାରଣ ନୀତି, ଅର୍ଥ ଲଗାଣକାରୀ ସଂସ୍ଥାର ଠକେଇ ମାମଲା ବିରୁଦ୍ଧରେ ସ୍ୱର ଉଠାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସାହାରା ଇଣ୍ଡିଆ କମ୍ପାନୀର ମୁଖ୍ୟ ସୁବ୍ରତ ରାୟ ଏବଂ ଅନ୍ୟ ନିର୍ଦ୍ଦେଶକ ଓ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବାର ବ୍ୟବସ୍ଥା ପ୍ରଶାସନ କରନ୍ତୁ ବୋଲି ବିଭିନ୍ନ ନାରାବାଜି ସହ ସ୍ୱର ଉଠିଛି । ପ୍ରକାଶ ଥାଉକି, ଅଲ ଇଣ୍ଡିଆ ଜନଆନ୍ଦୋଳନ ସଂଘର୍ଷ ନ୍ୟାୟ ମୋର୍ଚ୍ଚା ସଂଗଠନର ଓଡ଼ିଶା ସଭାପତି ଉତ୍ତର କୁମାର ପରିଡ଼ା, ଗଞ୍ଜାମ ଜିଲ୍ଲା ଆସ୍କା କ୍ଷେତ୍ର ସଂଗଠନର ସଭାପତି ଦାମୋଦର ପ୍ରଧାନ, ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କ ନେତ୍ତୃତ୍ୱରେ ହୋଇଥିବା ଏହି ବିକ୍ଷୋଭ ପ୍ରଦର୍ଶନରେ ଓଡ଼ିଶାର ପ୍ରାୟ ୨୦ ଲକ୍ଷ ଜମାକାରୀଙ୍କର ପ୍ରାୟତଃ ୨୦ହଜାର କୋଟି ଟଙ୍କା ସାହାରା ଠକି ନେଇଛି । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଜମାକାରୀ ଅଛନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଏହି ଜମାକାରୀଙ୍କ ଖାତା ୧ ନମ୍ବରରେ ଥିବା ବେଳେ ୨ନମ୍ବରରେ ପଶ୍ଚିମାଞ୍ଚଳର ରାଉରକେଲା, ସମ୍ବଲପୁର, ବଲାଙ୍ଗିର ଓ ବରଗଡ଼ରେ ସର୍ବାଧିକ ସଂଖ୍ୟାରେ ରହିଥିବା ଜମାକାରୀଙ୍କ ଟଙ୍କା ଫେରସ୍ତ କରିବାକୁ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିଶାଳ ବିକ୍ଷୋଭ ସମାବେଶ ହୋଇଥିଲା । ତଥାପି କୌଣସି ପଦକ୍ଷେପ ସରକାର ନେଇନଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସଂଘ କହିଛି । ତୁରନ୍ତ ଲୋକଙ୍କର ସ୍ୱର୍ଜିତ ସାହାରା ଜମା ଟଙ୍କା ଫେରସ୍ତ ନ ହେଲେ ଉକ୍ତ ସଂଘ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.