ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଶହୀଦ ଦିବସ ପାଳିତ ହୋଇଯାଇଛି । ତତ୍ ସହିତ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ନିମନ୍ତେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ପରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ । ଏଥିରେ ସହଯୋଗ କରିଥିଲେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ, ମଞ୍ଜୁଲତା ପ୍ରଧାନ, ବିରଞ୍ଚି ନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ । ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି । ବକ୍ତାମାନେ ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିବା ସହିତ ସମୟର ଅନ୍ତ ଯାଏଁ ଗାନ୍ଧିଜୀ ମନେ ରହିବେ ବୋଲି କହିଥିଲେ । କେବଳ ଭାରତ ନୁହେଁ ସାରା ବିଶ୍ଵରେ ଗାନ୍ଧିଜୀଙ୍କୁ ଉଚ୍ଚ ସମ୍ମାନ ମିଳିଥାଏ । ପରେ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ଗତକାଲି ଆତତାୟୀ ଗୁଳିରେ ପ୍ରାଣ ହରାଇଥିଲେ । ତେଣୁ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ନୀରବ ପ୍ରାର୍ଥନା କରିବା ସହ ଶୋକ ପ୍ରକାଶ କରିଥିଲେ । ସର୍ବ ଶେଷରେ ବିରଞ୍ଚି ନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।