ଜିଲ୍ଲାସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ର ଶୁଭ ଦେଲେ ବିଧାୟକ ନରସିଂହ

  • ବାଳକ ବିଭାଗରେ ଟିଟିଲାଗଡ ଓ ବାଳିକା ବିଭାଗରେ ବଲାଙ୍ଗିର ଚାମ୍ପିୟନ
  • ଖେଳ ଓ ଖେଳାଳିଙ୍କ ପ୍ରାଣକେନ୍ଦ୍ର ପାଲଟିବ ବଲାଙ୍ଗିର – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସ୍କୁଲ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ୭ ଗୋଟି ବ୍ଲକର ସମୁଦାୟ ୪୮ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିରୁ ୧୭ ବର୍ଷ ବାଳକ ବର୍ଗରେ ଟିଟିଲାଗଡ ବ୍ଲକ ଓ ବାଳିକା ବର୍ଗରେ ବଲାଙ୍ଗିର ବ୍ଲକ ଚାମ୍ପିୟନ ହୋଇଛନ୍ତି । ସେହିପରି ବାଳକ ବିଭାଗରେ ସଇଁନ୍ତଳା ଓ ବାଳିକା ବିଭାଗରେ ଦେଓଗାଁ ରନର୍ସ ଅପ ହୋଇଛନ୍ତି । ୧୪ ବର୍ଷ ବାଳକ ଓ ବାଳିକା ବର୍ଗରୁ ରାଜ୍ୟ ସ୍ତରକୁ ପଠାଇବା ପାଇଁ ୫ ଜଣ ଲେଖାଏଁ ଖେଳାଳି ଚୟନ କରାଯାଇଥିବା ସୂଚନା ରହିଛି ।

ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର କ୍ରୀଡା ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି । ସେଭିତରୁ କିଛି ପ୍ରକଳ୍ପ ପୂର୍ଣ୍ଣ ହୋଇ ସାରିଥିବା ବେଳେ ଆଉ କିଛିର କାୟାକଳ୍ପ ଜାରି ରହିଛି । ଯଦ୍ୱାରା ଖେଳାଳିମାନଙ୍କ ପାଇଁ ଆଉ ଭିତ୍ତିଭୂମିର ଅଭାବ ରହିବ ନାହିଁ ଏବଂ ବଲାଙ୍ଗିର ଆଗାମୀ ଦିନରେ ଖେଳ ଓ ଖେଳାଳିଙ୍କ ପ୍ରାଣ କେନ୍ଦ୍ର ପାଲଟିବ ବୋଲି କହିଥିଲେ । ସେହିପରି ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସାଧାରଣ ସଂପାଦକ ସୁରୁଲାଲ ମଟାରୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡା କ୍ଷେତ୍ରରେ ଉନ୍ନତି କରିବାକୁ ହେଲେ ପ୍ରବଳ ଅଭ୍ୟାସ ସହ ନୂଆ ପଦ୍ଧତି ଓ ଶୃଙ୍ଖଳାର ଆବଶ୍ୟକତା ଉପରେ ଖେଳାଳିମାନଙ୍କୁ ଗୁରୁତ୍ୱ ଦେବାକୁ କହିଥିଲେ । ବ୍ୟାଡମିଣ୍ଟନ କ୍ଷେତ୍ରରେ ଖେଳାଳିମାନଙ୍କୁ ଜିଲ୍ଲା ସଂଘ ସମସ୍ତ ପ୍ରକାର ସହେଯାଗ କରିବ ବୋଲି ପ୍ରତିଶୃତି ଦେଇଥିଲେ । ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକର୍ତ୍ତାମାନେ ପାଛୋଟି ନେବା ପରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ସ୍ୱାଗତର ଅଭିଭାଷଣ ଓ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ବିବରଣୀ ପ୍ରଦାନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ଫିତା କାଟି ପ୍ରତିଯୋଗିତା ଆରମ୍ଭ ଘୋଷଣା କରିଥିଲେ । ଚିଫ ରେଫରି ହେମନ୍ତ ବେହେରା, ମ୍ୟାଚ୍‌ କନ୍ଟୋଲର ସୁରେନ୍ଦ୍ର ନେପାଲ, ଅନନ୍ତ ବେହେରା, ସୁନିଲ ବେହେରା, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥି, ଚନ୍ଦ୍ରଶେଖର ମିଶ୍ର, ସୌରଭ ପ୍ରଧାନ ମ୍ୟାଚ୍‌ ପରିଚାଳନା କରିଥିଲେ ।

Leave A Reply

Your email address will not be published.