ବଲାଙ୍ଗିର ଲୋକ ମହୋତ୍ସବର ତୃତୀୟ ଦିନ

  • ‘ଆଗାମୀ ପିଢି ଆମକୁ କ୍ଷମା ଦେବେ ନାହିଁ’

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳାକାରମାନେ ପିଢି ପିଢି ଧରି ଲୋକ ନୃତ୍ୟକୁ ବଞ୍ଚାଇ ରଖିଛନ୍ତି । ବିଶେଷ କରି ଗାଁରେ ଥିବା କଳାକାରମାନଙ୍କୁ ଏହାର ଶ୍ରେୟ ଯିବା କଥା । ଧୀରେ ଧୀରେ ଆଧୁନିକତାର ଛାପରେ ଆମେ ଆମ ମାଟିର ମହାନ କଳାକୁ ଭୁଲି ଯାଉଛୁ । ପ୍ରକୃତରେ ଏହାର ସଂରକ୍ଷଣ ଓ ଏହା ଉପରେ ଅଧିକ ଗବେଷଣା ହେବା ଜରୁରୀ । ଏହା ନହେଲେ ଆଗାମୀ ପିଢି ଆମକୁ କ୍ଷମା ଦେବେ ନାହିଁ ବୋଲି ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆ ଠାରେ ଏକବିଂଶତମ ଲୋକ ମହୋତ୍ସବର ତୃତୀୟ ଦିନର ପ୍ରଥମ ଅଧିବେଶନରେ ମତପ୍ରକାଶ ପାଇଛି ।

ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଲୋକ ଉତ୍ସବ ସମିତିର ସମ୍ପାଦକ ରଶ୍ମି ରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି, ଟିଟିଲାଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ଆକାଶବାଣୀର ବରିଷ୍ଠ ଉଦଘୋଷକ ତଥା ସାରସତ୍ୱ ସାହିତ୍ୟିକ ରାଜୀବ ଲୋଚନ ଆଚାର୍ଯ୍ୟ, ସହକାରୀ ପ୍ରଫେସର ଜିତେନ୍ଦ୍ରୀୟ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ହୋଇଥିଲେ । ସଭାକାର୍ଯ୍ୟକୁ ସ୍ମରଣିକା କମିଟିର ସଦସ୍ୟ ତଥା ସାମ୍ବାଦିକ ବିଭୁ କଲ୍ୟାଣ ଗଡ଼ତ୍ୟା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମଧୁସୂଦନ ନାୟକ, ରାମ ନାରାୟଣ ଦାଶ, ସରୋଜ ମହାକୁର, ସାଗର କୁମାର, ହରିଓମ ପଟେଲ, ସୋମ ବାବୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଡା.ଲଳିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏକବିଂଶତମ ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ଦିବସର ପ୍ରଥମ ଅଧିବେଶନରେ ଜୟଦେବ କଳା ସଂସଦ ଦ୍ୱାରା ଭକ୍ତି ସଙ୍ଗୀତ ନୂତନ ମଞ୍ଚରେ ଅନୁଷ୍ଠିତ ହୋଇଥିବା ବେଳେ କଳାକାର ବୁଦ୍ଧି ସାଗର ଯୋଷୀ ଏହାକୁ ପରିଚାଳନା କରିଥିଲେ । ପରେ ପୁରୁଣା ମଞ୍ଚରେ ଜିଲାସ୍ତରୀୟ ଲୋକନୃତ୍ୟ, ଲୋକଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଲୋକନୃତ୍ୟ ପାଇଁ ଦୀପକ ବରାଳ, ପିଷ୍ପିତା ମିଶ୍ର, ସ୍ୱରୂପା ସିଂ, ପ୍ରଶାନ୍ତ ପଟ୍ଟନାୟକ, ରୀମା ବାଗ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ଲୋକଗୀତ ପାଇଁ ଉଷାରାଣୀ ବାରିକ, ନବୀନ କିଶୋର କୁଅଁର, ରେଶମା ରାଣୀ ଦାଶ, ଗଗନ ବାଗ ଓ ପ୍ରିୟଦର୍ଶନୀ ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ । ଫୁଲକିମୁଣ୍ଡା ଖପ୍ରାଖୋଲରୁ ସୌଖିନ କଳାପରିଷଦ, ପାଟଣାଗଡ଼ ବଥର୍ଲାରୁ ଏକାଦଶୀ ପାର୍ଟି ଓ କଳାକୃଷ୍ଣ ମହାନନ୍ଦଙ୍କ ସହ ସାଥୀ, ଖପ୍ରାଖୋଲ କୁରୋମାଲରୁ ଗଣପତି ବିରି ଓ ସାଥୀଙ୍କ ଯୋଗ ଦେଇଥିବା ବେଳେ ଖପ୍ରାଖୋଲ ପତ୍ରାପାଲିରୁ ଯୁଧିଷ୍ଠିର ପଧାନ ଓ ସାଥୀ, ପୁଇଁନ୍ତଲାର ଘୁଙ୍ଗୁରୁ କଳାପରିଷଦ, ବଲାଙ୍ଗିରର କଲଙ୍ଗା ଦଣ୍ଡ ନୃତ୍ୟ, ଦେଓଗାଁର ବେନାର ମୁହୁରିଆ କଳାପରିଷଦ ପ୍ରମୁଖ ଲୋକନୃତ୍ୟ ପରିବେଷଣ କରିଥିଲେ । ଲୋକଗୀତ ଦଳୀୟ ପ୍ରତିଯୋଗିତାରେ ଦେଓଗାଁ ସାଲେପାଲିରୁ କୃଷ୍ଣଗୁରୁ, ବଲାଙ୍ଗିରର ସୁମତି ସୁନା ଓ ଦଳ, ବରାଜକୁମାର ପ୍ରଧାନ ଓ ଦଳ, ଠକପଡ଼ାରୁ ପିତବାସ ସାହୁ ଓ ସାଥୀ, ପାଟଣାଗଡ଼ ତମିଆଁରୁ ବେଲମତି ଭୋଇ ଓ ସାଥୀ, ଖପ୍ରାଖୋଲରୁ ଚନ୍ଦ୍ରମା ସାହୁ ଓ ସାଥୀ ଯୋଗ ଦେଇଥିଲେ । ଲୋକଗୀତ ଏକକ ପ୍ରତିଯୋଗିତାରେ ଚିନ୍ମୟ ନିଆଲ, ଶୋଭାପତି ପାଥର, ସହଦେବ ବରିହା, ଚଞ୍ଚଳା ଘିବେଲା, ସୋମ ବାବୁ, ସୁମତି ସୁନା, ହରିଶ୍ଚନ୍ଦ୍ର ମୁଣ୍ଡା ପ୍ରମୁଖ ଯୋଗ ଦେଇ କଳା ପରିବେଷଣ କରିଥିଲେ । ସେହିପରି ଦିବ୍ୟାଙ୍ଗ କଳାକାରମାନଙ୍କ ଦ୍ୱାରା ହିମାଂଶୁ ଶେଖର ଯୋଷୀ ଓ ଦଳ ଦ୍ୱାରା ଦଣ୍ଡନୃତ୍ୟ, ସାଲେପାଲି ଜଗତବନ୍ଧୁ ବିଶ୍ୱଭାରତୀ ଶିକ୍ଷା ନିକେତନର ଦଳୀୟ ନୃତ୍ୟ, ଡକ୍ଟର ହରେକୃଷ୍ଣ ମହତାବ ସ୍କୁଲ ବଲାଙ୍ଗିରର ଦଳୀୟ ସଙ୍ଗୀତ, ଟିଟିଲାଗଡ଼ର କଳାକାରମାନଙ୍କ ଦ୍ୱାରା ଦଳଗତ ଆଦିବାସୀ ନୃତ୍ୟ ପରିବେଷଣ ହୋଇଥିଲା । ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!