ଓଡ଼ିଆ ଭାଷା ବିକାଶ ମଞ୍ଚର ଫକୀର ମୋହନ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚର ସଭାପତି ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ତତ୍ୱ ଓ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ସେକ୍ଟର- ୭ ସ୍ଥିତ ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ତାଙ୍କର ୧୮୦ତମ ଜୟନ୍ତୀ ଉତ୍ସବ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରେଣ୍ୟ ମୁଖ୍ୟ ଅତିଥି ରୂପେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଏବଂ ରାଉରକେଲାର ବହୁ ସାରସ୍ୱତ ସ୍ରଷ୍ଟା ଏହି ଉତ୍ସବରେ ଉପସ୍ଥିତ ରହି ଫକୀର ମୋହନଙ୍କ କାଳଜୟୀ ସୃଷ୍ଟି ସମ୍ଭାର ସମ୍ପର୍କରେ ଆଲୋଚନା ରଖି ସାଂପ୍ରତିକ ସମୟରେ ସେହି ସବୁ ସାହିତ୍ୟ କୃତି କିପରି ପ୍ରାସଙ୍ଗିକତା ହରାଇନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ମହାପାତ୍ର ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ ସ୍ୱଳ୍ପ ଏବଂ ସୀମିତ ଶିକ୍ଷାଗତ ପୃଷ୍ଠଭୂମି ଭିତରେ ଫକୀର ମୋହନ କିପରି ଏ ମାଟିର ମହାକବି କଥାସମ୍ରାଟ ବ୍ୟାସକବି ସରସ୍ଵତୀ ତାଙ୍କର କାବ୍ୟକୃତି ଗଳ୍ପ ଓ ଉପନ୍ୟାସରୁ ଉଦାହରଣ ଦେଇ ଉନବିଂଶ ଶତାବ୍ଦୀର ରେନେସାଁର ଅଗ୍ନିହୋତ୍ରି ବୋଲି ଅଭିହିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଚାଟାର୍ଜୀ ଫକୀର ମୋହନ ଦେଶୀ ଭାଷାର ପ୍ରୟୋଗ କରି ତାଙ୍କର ସାରସ୍ୱତ ସମ୍ଭାରକୁ କିପରି ଶୈଳ୍ପିକ ସୌନ୍ଦର୍ଯ୍ୟ ପ୍ରଦାନ କରିଛନ୍ତି ବିଭିନ୍ନ ଉଦାହରଣ ଦେଇ ବକ୍ତବ୍ୟ ରଖିଥିଲେ । ସମଗ୍ର ଆଲୋଚନାର ସମୀକ୍ଷା ପୂର୍ବକ ଶ୍ରୀ ପତି ଓଡ଼ିଆ ଜନଜୀବନ ଓ ଭାଷା ସାହିତ୍ୟର ସମସ୍ୟା ସଂକଳ୍ପ ଓ ଜାଗରଣର ଇତିହାସରେ ସେ ନବଯୁଗ ନିର୍ମାଣର କାଣ୍ଡାରୀ ବୋଲି ଅଭିହିତ କରି ଉନବିଂଶ ଶତାବ୍ଦୀର ତମିସ୍ରିତ ଓଡ଼ିଶାର ଜଣେ ଯଥାର୍ଥ ବିନ୍ଧାଣି ରୂପେ ନିଜର ଅକ୍ଷୟ ମୁଦ୍ରା ଅଙ୍କିତ କରିଯାଇଛନ୍ତି ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ଚନ୍ଦ୍ରଶେଖର ପାଇକରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ପ୍ରଫୁଲ୍ଲ କୁମାର ସାମଲ, ନରେନ୍ଦ୍ର ଗୋପ୍, ପଞ୍ଚାନନ ପାତ୍ର, ହେମନ୍ତ ବିଶ୍ୱାଳ, ଭକ୍ତହରି ଧୁପାଳ, ଇନ୍ଦ୍ରମଣି ମହାପାତ୍ର, ଧୋବେଇ ବେହେରା, ଅଜିତ ନାୟକ ପ୍ରମୁଖ ସହଯୋଗ କରିବା ସହିତ ଅନେକ ପ୍ରମୁଖ ଅନୁଷ୍ଠାନର ବ୍ୟକ୍ତି ବିଶେଷ ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!