ଗାଧୋଇବା ବେ​‌ଳେ ପାଣିରେ ବୁଡି ନାବାଳକ ମୃତ

ଗୋଛାପଡା : ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପଲାବୁରୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦରିସୁଗା ଗ୍ରାମରେ ପାଣି ବୁଡି ଜଣେ ଦଶମ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ର ଜଣକ ହେଲେ ଟୁନା କହଁର(୧୫) । ଫୁଲବାଣୀର ଏକ ଆଶ୍ରମ ବିଦ୍ୟାଳୟରେ ରହି ଦଶମ ଶ୍ରେଣୀରେ ଟୁନା କହଁର ପଢ଼ୁଥିଲେ । ଶୀତ ଛୁଟିରେ ନିଜ ଘରକୁ ଆସିଥିଲେ । ଶୁକ୍ରବାର ସେ ତାଙ୍କ ଗାଁ ନାଳରେ ଗାଧୋଇବା ପାଇଁ ଯାଇଥିଲେ ଏବଂ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ । ଗ୍ରାମର କିଛି ଲୋକ ଏହା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗୋଚ୍ଛାପଡା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି । ନାବାଳକଙ୍କ ଭାଇ ପ୍ରବେଶ କହଁରଙ୍କ ଲିଖିତ ଅଭିଯୋଗ କ୍ରମେ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.