ରାଜ୍ୟପାଳଙ୍କ ବଲାଙ୍ଗିର ଗସ୍ତ : ଆକାଂକ୍ଷୀ ଜିଲ୍ଲାକୁ ପ୍ରେରଣାଦାୟୀ ଜିଲ୍ଲା ଭାବେ ପରିଣତ କରିବା ଦିଗରେ ଉଦ୍ୟମ କରିବାକୁ ପରାମର୍ଶ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୁଇ ଦିନିଆ କଳାହାଣ୍ଡି, ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କ୍ରମରେ ଟ୍ରେନ୍ ଯୋଗେ ସକାଳେ ଭବାନୀପାଟଣାରେ ପହଞ୍ଚିଥିଲେ । ସେଠାରୁ ବଲାଙ୍ଗିର ଗସ୍ତରେ ଆସି ସର୍କିଟ ହାଉସରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ଦାୟିତ୍ଵରେ ଥିବା ବରଗଡ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର ପ୍ରମୁଖ ରାଜ୍ୟପାଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ସର୍କିଟ ହାଉସ ଠାରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ଏକ ବୈଠକରେ ରାଜ୍ୟପାଳ ଯୋଗ ଦେଇଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ଜନହିତକର କାର୍ଯ୍ୟକ୍ରମର ରୂପରେଖ ଓ ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ମାପଦଣ୍ଡ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ମାପଦଣ୍ଡରେ ଜିଲ୍ଲାର ସାମଗ୍ରିକ ଅଗ୍ରଗତି ସନ୍ତୋଷଜନକ ଥିବା ପ୍ରକାଶ କରି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଉତ୍ସାହଜନକ ଥିବା କହିଥିଲେ । ଆକାଙ୍ଖୀ ଜିଲ୍ଲାକୁ ପ୍ରେରଣାଦାୟୀ ଜିଲ୍ଲା ଭାବେ ପରିଣତ କରିବା ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଗତି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ କହିବା ସହ ନିରାପଦ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ । ଏତଦ୍ବ୍ୟତୀତ ମିଶନ ଶକ୍ତି, ଜୀବିକା ମିଶନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ରାଣା ବୈଠକ ଶେଷରେ ଧନ୍ୟବାଦ ଅର୍ପଣା କରିଥିଲେ । ବୈଠକରେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ଦାୟିତ୍ଵରେ ଥିବା ବରଗଡ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଡିଏଫଓ ନିତୀଶ କୁମାରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ରାଜ୍ୟପାଳ ସର୍କିଟ ହାଉସରୁ ବାହାରି ବଲାଙ୍ଗିର ସହର ସ୍ଥିତ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପଡିଆରେ ରୋଟାରୀ କ୍ଲବ ଅଫ ଇଲାଇଟ, ବଲାଙ୍ଗିର ଦ୍ଵାରା ଆୟାଜିତ ଉଡ଼ାନ ମିଟ ୨୦୨୨ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପରେ ସେଠାରୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ନିକଟରେ ଥିବା ମାରୱାଡି ସେବା ସଦନକୁ ଯାଇ ମାରୱାଡି ପଞ୍ଚାୟତ, ବଲାଙ୍ଗିର ଦ୍ଵାରା ପରିଚାଳିତ ସେବା ସଦନ କୋଠାର ଦ୍ଵିତୀୟ ମହଲାକୁ ଉଦ୍ଘାଟନ କରିଥିଲେ । ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇଥିଲେ ।