ସେଞ୍ଚୁରିଅନ ୟୁନିଭର୍ସିଟି ପାରଳାଖେମୁଣ୍ଡି କ୍ୟାମ୍ପସର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମୟରେ ଶିକ୍ଷାକୁ ଏକ ମାଧ୍ୟମ ନ କରି ଛାତ୍ର ସମାଜ ବିବେକାନୁମୋଦିତ କାର୍ୟ୍ୟ କରିବା ଓ ସତ୍ୟନିଷ୍ଠ ରହିବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସେଞ୍ଚୁରିଅନ ୟୁନିଭର୍ସିଟି (ସିୟୁ) ପାରଳାଖେମୁଣ୍ଡି କ୍ୟାମ୍ପସର ୧୦ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କିଛି ମତବ୍ୟକ୍ତ କରିଛନ୍ତି ।

ସେହିଭଳି ବିଶ୍ୱବିଦ୍ୟାଳୟର କୌଶଳ ଭିତ୍ତିକ ଶିକ୍ଷାକୁ ଲୋକାଭିମୁଖୀ କରିବାର ପ୍ରୟାସ ତଥା ତା’ର ସାମାଜିକ ଦାୟିତ୍ୱବୋଧକୁ ନିର୍ବାହ କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପକୁ ଲାଲ୍‌ ଉଚ୍ଚ ପ୍ରଶଂସା କରିଥିଲେ । ସେହିପରି ସିୟୁର ଛାତ୍ରୀଛାତ୍ରମାନଙ୍କୁ ଉପଦେଶ ଦେଇ ରାଜ୍ୟପାଳ କହିଥିଲେ ଯେ, ଜୀବନରେ ସଫଳତା କିମ୍ବା ବିଫଳତା ଏକ ଅଂଶ ମାତ୍ର ହେଲେ ସବୁଠୁ ବଡ଼ କଥା ହେଲା ନବଯୁବକଙ୍କ ମନ ଭିତରେ ଏକତାର ଭାବନାକୁ ପୁନଃ ଜାଗ୍ରତ କରିବା ।

ଏପରିକି ଶିକ୍ଷାର୍ଥୀମାନେ ଦେବତା ସଦୃଶ ଏବଂ ଆନନ୍ଦ ବାଣ୍ଟିବାର ମାଧ୍ୟମ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ମତପ୍ରକାଶ କରିଛନ୍ତି । ଅପରପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସାଙ୍ଗକୁ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ବିବରଣୀ ପ୍ରଦାନ ଅବସରରେ ପ୍ରଫେସର ପଟ୍ଟନାୟକ କହିଥିଲେ, ବିଶ୍ୱବିଦ୍ୟାଳୟ ନୂତନ ଜାତୀୟ ଶିକ୍ଷାନୀତିକୁ ଅନୁସରଣ କରି ତା’ର ଶିକ୍ଷାବ୍ୟବସ୍ଥାକୁ ଅଧିକରୁ ଅଧିକ ଛାତ୍ରାଭିମୁଖୀ କରିବା ଦିଗରେ ଯତ୍ନଶୀଳ ହୋଇଛି । ବିଶେଷ କରି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତରମାନଙ୍କୁ ସେମାନଙ୍କର ଶିକ୍ଷଣ ଏବଂ ଶିଳ୍ପ ଅଭିଜ୍ଞତାକୁ ଚାକିରି ସୃଷ୍ଟିକର୍ତ୍ତା ଉଦ୍ୟୋଗରେ ପ୍ରୟୋଗ କରିବାକୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଲିଆ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍‌ ପିଟର ୱଫଲି ଓ ଅଷ୍ଟ୍ରେଲିଆର ଡେକିନ୍‌ ୟୁନିଭରସିଟି କୁଳପତି ପ୍ରଫେସର ଇଆଏନ୍‌ ମାର୍ଟିନ କୃତି ଛାତ୍ରୀଛାତ୍ରଙ୍କ ଆଗାମୀ ଭବିଷ୍ୟତ ଓ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ପରିଶେଷରେ ବିଶ୍ୱବିଦ୍ୟାଳୟରୁ ମୋଟ ୨୨ ଜଣ ଗବେଷକ ବିଦ୍ୟାର୍ଥୀ ଡକ୍ଟରେଟ ଉପାଧି ହାସଲ କରିଥିବା ବେଳେ ୧୨ ଜଣ ସ୍ନାତକ ଛାତ୍ରଛାତ୍ରୀ ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି । ଏପରିକି ୨୦୨୦-୨୩ ବର୍ଷର ମୋଟ ୨୨୯୮ ଛାତ୍ରୀଛାତ୍ର ଡିଗ୍ରୀ ହାସଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଡିନ୍‌ ପ୍ରଫେସର ପ୍ରଶାନ୍ତ ମହାନ୍ତି ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କୁ କର୍ତ୍ତବ୍ୟନିଷ୍ଠା ଓ ମୂଲ୍ୟବୋଧ ସମ୍ପର୍କିତ ଶପଥପାଠ କରାଇଥିଲେ । ଉକ୍ତ ସମାବର୍ତ୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡି.ଏନ.ରାଓ, ରେଜିଷ୍ଟ୍ରାର ପ୍ରଫେସର ଅନୀତା ପାତ୍ରଙ୍କ ସମେତ ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରଛାତ୍ରୀଗଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.