ସର୍ବସାଧାରଣ ରାସ୍ତା ସହ ଜଙ୍ଗଲ ଜମିକୁ ଇଡକୋ ବିକ୍ରି କରୁଥିବା ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବସାଧାରଣ ରାସ୍ତା ସହ ଜଙ୍ଗଲ ଜମିକୁ ଇଡକୋ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଇଡ଼କୋ ସାଜିଛି କିଛି ସରକାରୀ ଅଧିକାରୀ ଆଉ ବ୍ୟବସାୟୀଙ୍କ ମଧ୍ୟରେ ଜମି ଦୁର୍ନୀତିର ମାଧ୍ୟମ । କେତେକ କ୍ଷେତ୍ରରେ ଗୋଚର ଜମି, ପତିତ ଜମି, ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଆଉ କେତେକ କ୍ଷେତ୍ରରେ କିସମ ପରିବର୍ତ୍ତନ ନକରି ପ୍ରଥମେ ନିଜ ନିୟନ୍ତ୍ରଣକୁ ନେଉଛି ଏବଂ ପରେ ପରେ ଶାଗମାଛ ଦରରେ ଟେକି ଦେଉଛି ବ୍ୟବସାୟୀଙ୍କୁ । ନିର୍ଦ୍ଦିଷ୍ଟ କିଛି ବ୍ୟବସାୟୀଙ୍କ ବଚସ୍କର ଭଳି ସମ୍ପୂର୍ଣ୍ଣ ଭାବେ ବ୍ୟବସାୟୀଙ୍କ ନିୟନ୍ତ୍ରଣରେ ଚାଲିଛି ଇଡ଼କୋ । ଏପରିକି ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଥିବା ରାସ୍ତା ସହ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ନ କରି ମଧ୍ୟ ଏହାକୁ ଇଡକୋ ବିକ୍ରି କରୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, କଲୁଙ୍ଗା ଶିଳ୍ପାଞ୍ଚଳର ଖାତା ନମ୍ବର ୬୫ ଓ ପ୍ଲଟ ନମ୍ବର ୪୧୧,୪୧୭ ପ୍ରାୟ ୪ ଏକର ୮୦ଡିସିମିଲ ଉପରେ ଆରଆଇଟି ନାମରେ ଏକ ଶିକ୍ଷାନୁଷ୍ଠାନ ୧୯୮୪ ମସିହାରୁ ଗଢି ଉଠିଛି । ତେବେ ଏହି ପ୍ଲଟର ଅପର ପଟେ ଥିବା ସର୍ବସାଧାରଣ ରାସ୍ତା ସହ ପ୍ଲଟ ନମ୍ବରକୁ ବଦଳାଯାଇ ୨୦୪ ନମ୍ବରରେ ନାମିତ କରି ପ୍ରାୟ ୬ ଏକର ୧୧ ଡିସିମିଲ ଜଙ୍ଗଲ ଜମିକୁ ରିଲାଏବୁଲ ସ୍ପଞ୍ଜକୁ ଦିଆଯାଇଛି । ପୂର୍ବରୁ ଏହି ଜମିକୁ ଆରଆଇଟିକୁ ଚିଠି ନମ୍ବର ଇଡକୋ/ଆରକେଏଲ/ସିଭ୍/ଏ/୮୫୧ ମାଧ୍ୟମରେ ଦିଆଯାଇଥିଲା । ଫଳରେ ସେହି ସ୍ଥାନରେ ଆରଆଇଟି ତରଫରୁ ପ୍ରାୟ ୨୦୦ ବୃକ୍ଷ ରୋପଣ ସହ, ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ, ହୋଟେଲ, ପାଣି ପମ୍ପ, ପାଇଖାନା ଆଦି ତିଆରି କରାଯାଇଥିଲା । ଇଡକୋକୁ ଏହି ଜମିର କିସମ ପରିବର୍ତ୍ତନ କରି ଆରଆଇଟିକୁ ଦେବାପାଇଁ ମୌଖିକ ଭାବେ ବାରମ୍ବାର କୁହାଯାଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇନଥିଲା । ତେବେ ଦୁଇ ପ୍ଲଟ ମଝିରେ ଥିବା ରାସ୍ତାକୁ ଇଡକୋ ନିର୍ଦ୍ଦେଶରେ ବନ୍ଦ କରାଯାଇ ରିଲେବଲ ସ୍ପଞ୍ଜ ନାମକ ସଂସ୍ଥାକୁ ଦିଆଯାଇଛି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଗୋଟିଏ ଶିକ୍ଷାନୁଷ୍ଠାନ ଯେଉଁଥିରେ ସାଧାରଣତଃ ଏସଟି, ଏସି, ଓବିସି ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ପଢୁଛନ୍ତି ସେମାନଙ୍କ ଆବଶ୍ୟକତାକୁ ଉପେକ୍ଷା କରାଯାଇ ଗୋଟିଏ ପ୍ରଦୂଷଣକାରୀ ଶିଳ୍ପାନୁଷ୍ଠାନ ସକାଶେ ଜମି ଦେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ପ୍ଲଟ ନମ୍ବର ୯୯,୧୦୦, ୧୦୧,୧୦୨,୧୦୩,୧୦୪,୧୦୫,୧୦୬ର ବ୍ୟବହାର ପାଇଁ ଥିବା ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରାଯାଇ ରିଲେବୁଲ ତରଫରୁ ପାଚେରୀ ଉଠାଯାଇଛି । ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ପ୍ରୋତ୍ସାହନ ଦେଉଥିବା ନାମରେ ଡିମ୍‌ଡିମ ପିଟୁଥିବା ବେଳେ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଜଙ୍ଗଲ ଜମିକୁ ଜଣେ ସ୍ପଞ୍ଜ ବ୍ୟବସାୟୀକୁ ଦେବା କେତେଦୂର ଯୁକ୍ତି ଯୁକ୍ତ ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ତେବେ ଏନେଇ ଇଡକୋର ମହାପ୍ରବନ୍ଧକ ବିଜୟ କୁମାର ମହାନ୍ତିଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ନଉଠାଇବାରୁ ଯୋଗାଯୋଗ ସମ୍ଭବ ହୋଇପାରିନଥିବା ଜଣାପଡିଛି ।

Leave A Reply

Your email address will not be published.