
ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ଅବକାଶ ନୀତି ବଢ଼ିବା ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ପାଟବସ୍ତ୍ରରେ ବିଭୂଷିତ କରି ଏହି ବେଶ କରିଥାନ୍ତି । ଏହି ବେଶରେ ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ଚକ୍ର ସହ ରୌପ୍ୟର ଶଙ୍ଖ ଧାରଣ କରିଥାନ୍ତି । ପ୍ରଭୁ ବଳଭଦ୍ର ମଧ୍ୟ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ହଳମୃସଳ ଧାରଣ କରିଥାନ୍ତି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ର ମସ୍ତକରେ ଯେଉଁ ଚୂଳ ଧାରଣ କରିଥାନ୍ତି ସେଥିରେ ସୁବର୍ଣ୍ଣର କିଆ ଗୁଡ଼ିକ ଆଡ଼ ବାଗିଆ ଲଗାଯାଇଥାଏ । ତେଣୁ ଏହି ବେଶକୁ ଡ଼ାଳିକିଆ ବେଶ ମଧ୍ୟ କୁହାଯାଏ । ପଞ୍ଚୁକର ଚତୁର୍ଥ ଦିବସରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେଉଛି । ଯେତେ ବେଳେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ରତ୍ନସିଂହାସନ ଉପରେ ପ୍ରଥମେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲେ ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ ବୋଲି ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି । ତେଣୁ ସେହି ସ୍ମୃତିରେ କାର୍ତ୍ତିକ ମାସର ଏହି ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ । ପ୍ରକାଶ ଥାଉକି, ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଥିବା ବେଳେ ଚନ୍ଦ୍ରଗ୍ରହଣ ଲାଗୁଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ଚୂଡ଼ାନ୍ତ ହୋଇଥିବା ବେଳେ ଭକ୍ତମାନେ ଏହି ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହେବାର ସମ୍ଭାବନା ରହିଛି ।